ୟୁପି ବୈଷୟିକ ଶିକ୍ଷାମନ୍ତ୍ରୀ ମୃତ
ୟୁପି ବିଜେପି ସଭାପତି ଆକ୍ରାନ୍ତ
ତାମିଲନାଡୁ ରାଜ୍ୟପାଳ ପଜିଟିଭ୍
ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏକ ଟ୍ବିଟ୍ କରି ନିଜେ ଶାହ ଏ ସଂପର୍କରେ ସୂଚନା ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାହଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ ପାଇଁ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏକ ଟିମ୍ ମେଦାନ୍ତ ହସ୍ପିଟାଲ ଗସ୍ତ କରିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଦୁଇ ସପ୍ତାହ ତଳେ କରୋନା ଆକ୍ରାନ୍ତ ହୋଇଥିବା ଉତ୍ତରପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାଣୀ ବରୁଣଙ୍କର ଆଜି ପରଲୋକ ଘଟିଛି। ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସେ ଏବେ ହୋମ୍ କ୍ବାରାଣ୍ଟିନ୍ରେ ଅଛନ୍ତି। ସେହିଭଳି ତାମିଲନାଡ଼ୁ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କର କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଆଜି ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ଶାହ କହିଛନ୍ତି, ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଯେଉଁମାନେ ବିଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ପୃଥକ୍ କରିବା ସହ ନିଜର କରୋନା ପରୀକ୍ଷା କରାନ୍ତୁ।
କରୋନାରେ ଆକ୍ରାନ୍ତ ହେବା ଫଳରେ ଦେଶରେ ଶ୍ରୀ ଶାହଙ୍କ ସମର୍ଥକ ଓ ବିଜେପି ନେତାମାନଙ୍କୁ ଚିନ୍ତାରେ ପକାଇଛି। ବିଶେଷକରି ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମମନ୍ଦିରର ଭୂମି ପୂଜନ ଉତ୍ସବରେ ଶ୍ରୀ ଶାହ ଯୋଗ ଦେବା ଏକପ୍ରକାର ଅସମ୍ଭବ ବୋଲି କୁହାଯାଉଛି।
ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା ପରଠାରୁ ଶ୍ରୀ ଶାହ ଲଗାତାର ଏହି ମାମଲାର ତଦାରଖ କରୁଛନ୍ତି। ରାଜଧାନୀ ଦିଲ୍ଲୀର ସ୍ଥିତିକୁ ସେ ବ୍ୟକ୍ତିଗତ ଭାବେ ତଦାରଖ କରିଥିଲେ। ଗୃହ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀଙ୍କ ସହ ବୈଠକ କରି ତାଜା ତଥ୍ୟ ସଂଗ୍ରହ କରୁଥିଲେ ଏବଂ ସେହି ଅନୁସାରେ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା। ଲକ୍ଡାଉନ୍ ପରେ ଦେଶରେ ଅନ୍ଲକ୍ ପ୍ରକ୍ରିୟାକୁ ନେଇ ଗାଇଡଲାଇନ୍ସ ପ୍ରସ୍ତୁତ କରିବାରେ ମଧ୍ୟ ଶାହଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।