ମେହେବୁବା ଜାମ୍ମୁ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିଲେ : ଅମିତ ଶାହ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରରେ ପିଡିପି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର ନିଷ୍ପତ୍ତି ଠିକ ଥିଲା ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ । ସେ କହିଛନ୍ତି ମେହେବୁବା ମୁଫତି ସରକାର କେବଳ କାଶ୍ମୀରର ବିକାଶ କଥା ଚିନ୍ତା କରୁଥିଲେ, ମାତ୍ର ଜାମ୍ମୁ ଓ ଲଦାଖ ପ୍ରତି ସଂପୂର୍ଣ୍ଣ ବୈମାତୃକ ଭାବ ପୋଷଣ କରୁଥିଲେ । କିନ୍ତୁ ବିଜେପି ଜାମ୍ମୁ, କାଶ୍ମୀର ଓ ଲଦାଖର ସଂପୂର୍ଣ୍ଣ ବିକାଶ ଚାହୁଁଛି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ଅନେକ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା । ଏଥିପାଇଁ ସମର୍ଥନ ପ୍ରତ୍ୟାହାର ଛଡା ଅନ୍ୟ କୌଣସି ବାଟ ନଥିଲା ବୋଲି ସେ କହିଛନ୍ତି । ରାଜ୍ୟ ଓ ଦେଶର ସାମଗ୍ରୀକ ମଙ୍ଗଳ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶାହା କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବିଜେପି ରାଜ୍ୟରେ ମେହେବୁବା ମୁଫତି ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ରାଜ୍ୟରେ ରାଜ୍ୟପାଳ ଶାସନ ଆରମ୍ଭ ହୋଇଛି । ଏହା ସହିତ ରାଜ୍ୟପାଳ ବିଧାନସଭାକୁ ମଧ୍ୟ ବାତିଲ କରିଦେଇଛନ୍ତି । ରାଜ୍ୟରେ ଏକ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଚାଲିବ । ଇତି ମଧ୍ୟରେ ରାଜ୍ୟପାଳ ବରିଷ୍ଠ ଆଇପିଏସ ତଥା ଆତଙ୍କବାଦ ବିରୋଧୀ ଅପରେସନରେ ଅଭିଜ୍ଞ ଅଫିସର ବିଜୟ କୁମାରଙ୍କୁ ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏହା ସହିତ ବିବି ବ୍ୟାସଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦିଆଯାଇଛି ।

ସମ୍ବନ୍ଧିତ ଖବର