ନାଗରିକତା ଆଇନ ଦ୍ୱାରା ଦେଶର କୌଣସି ସଂଖ୍ୟାଲଘୁ ପ୍ରଭାବିତ ହେବେ ନାହିଁ : ଅମିତ ଶାହା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନାଗରିକତା(ସଂଶୋଧନ) ଆଇନ ବିରୁଦ୍ଧରେ ହିଂସା ଜାରି ରହିଥିବାବେଳେ ଏହି ଆଇନକୁ ଯଥାର୍ଥ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଝାଡ଼ଖଣ୍ଡଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଏହି ଆଇନରେ ଦେଶର କୌଣସି ସଂଖ୍ୟାଲଘୁ ସଂପ୍ରଦାୟ ପ୍ରଭାବିତ ହେବେ ନାହିଁ । ଏହି ଆଇନରେ ସେପରି କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ୱେ ବିରୋଧୀ ଦଳ ଏହାକୁ ନେଇ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସେ କହିଛନ୍ତି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପାକ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲିଙ୍କ ମଧ୍ୟରେ ସ୍ୱାକ୍ଷରିତ ନେହେରୁ-ଲିଆକତ ଚୁକ୍ତିରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଥିଲା । ଏହା ସତ୍ତ୍ୱେ ଭୋଟ ବ୍ୟାଙ୍କ ରାଜନୀତି ଯୋଗୁଁ କଂଗ୍ରେସ ଗତ ୭୦ ବର୍ଷ ହେଲା ଏହାକୁ ଲାଗୁ କରୁନଥିଲା । ଆମ ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି ଓ ଲକ୍ଷ ଲକ୍ଷ ପ୍ରତାଡ଼ିତ ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସଂସଦରେ ନାଗରିକତା (ସଂଶୋଧନ) ବିଲ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଏବେ ଆଇନରେ ପରିଣତ ହୋଇଛି । ଗତ ୧୨ ତାରିଖରେ ଏ ସଂପର୍କରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର