ଜମ୍ମୁରେ ବିଭେଦର ରେଖା ଟାଣିଲେ ଶାହ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ସରକାରର ପତନ ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ପ୍ରଥମ ଜମ୍ମୁ ଗସ୍ତ କରି ଏକ ର‍୍ୟାଲିରେ ଉଦ୍‌ ବୋଧନ ଦେଇଛନ୍ତି। ବିକାଶକୁ ନେଇ ଜମ୍ମୁ ଓ କଶ୍ମୀର ଭିତରେ ଯେଉଁ ପାତରଅନ୍ତର ସୃଷ୍ଟି କରାଯାଇଛି ତାହାକୁ ପ୍ରସଙ୍ଗ କରି ଶାହ ଆଜି ବିଭାଜନର ରେଖା ଟାଣିବାକୁ ପ୍ରୟାସ କରିଛନ୍ତି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ବିକାଶ ପାଇଁ ୮୦ ହଜାର କୋଟି ଟଙ୍କା ମଂଜୁର କରିଥିଲେ ମଧ୍ୟ ଏହି ଅର୍ଥ ଜମ୍ମୁ ଏବଂ ଲଦାଖ ଅଂଚଳରେ ପହଞ୍ଚି ନାହିଁ ବୋଲି ଶାହ କହିଛନ୍ତି। ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ହିନ୍ଦୁ ଅଧ୍ୟୁଷିତ ଜମ୍ମୁରେ ବିକାଶକୁ ଅଣଦେଖା କରି ଲୋକଙ୍କୁ ପ୍ରତାରିତ କରାଯାଇଛି ବୋଲି ଶାହଙ୍କ ବୟାନ ସରଗରମ ଚର୍ଚ୍ଚା ସୃଷ୍ଟି କରିଛି । ଜମ୍ମୁ କଶ୍ମୀରରେ ବିକାଶକୁ କେବେ ବି ସନ୍ତୁଳିତ ରୂପ ଦିଆଯାଇ ନାହିଁ ଏବଂ ଜମ୍ମୁର ଜନସାଧାରଣଙ୍କୁ ବିକାଶରୁ ବଞ୍ଚିତ ରଖାଯିବା ଦ୍ୱାରା ବଡ଼ ସଙ୍କଟ ଉପୁଜିଛି ବୋଲି ଶାହ କହିଛନ୍ତି।
ଗତ ମଙ୍ଗଳବାର ଦିନ ବିଜେପି ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ମେହବୁବା ମୁଫ୍‌ତିଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ଦେଖାଦେଇଥିବାରୁ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ବୋଲି ବିଜେପି ରାଜ୍ୟ ପ୍ରଭାରୀ ରାମ ମାଧବ କହିଥିଲେ।
କଶ୍ମୀର ସାମ୍ବାଦିକଙ୍କୁ ବିଜେପି ବିଧାୟକଙ୍କ ଧମକ
ନିଜ ସୀମା ଭିତରେ ରୁହ
ଶ୍ରୀନଗର : ପୂର୍ବତନ ଜମ୍ମୁ କଶ୍ମୀର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଚୌଧୁରୀ ଲାଲ୍‌ ସିଂହ ଆଜି କଶ୍ମୀର ସାମ୍ବାଦିକମାନଙ୍କୁ ଧମକ ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସମ୍ପର୍କିତ ରିପୋର୍ଟିଂ ଉପରେ ଲଗାମ୍‌ ଲଗାଇବାପାଇଁ ସେ ଧମକାଇଛନ୍ତି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କଠୁଆ ମାମଲା ସମ୍ପର୍କିତ ଏକ ବୟାନ ଦେଇ ଲାଲ୍‌ ସିଂହ କହିଥିଲେ ଯେ କଶ୍ମୀର ସାମ୍ବାଦିକମାନେ ଖରାପ ବାତାବରଣ ସୃଷ୍ଟି କରିଛନ୍ତି। ସାମ୍ବାଦିକମାନେ ନିଜର ସୀମା ଭିତରେ ରହିବା ଉଚିତ୍‌ ଏବଂ ସଠିକ୍‌ ରାସ୍ତା ନିର୍ଦ୍ଧାରଣ କରି ସେମାନଙ୍କ କାର୍ଯ୍ୟ କରିବା ଉଚିତ୍‌ । ନଚେତ୍‌ ସୁଜାତ୍‌ ବୁଖାରୀଙ୍କ ପରି ପରିସ୍ଥିତି ଉପୁଜିବ ବୋଲି ଲାଲ୍‌ ସିଂହ ସାମ୍ବାଦିକମାନଙ୍କୁ ଚେତାବନୀ ଦେଇଥିଲେ। ଉଲ୍ଲେଖଯୋଗ୍ୟ ପିଡିପି-ବିଜେପି ସରକାରରେ ଜଙ୍ଗଲ ମନ୍ତ୍ରୀ ଥିବା ଲାଲ୍‌ ସିଂହ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ସମର୍ଥନ କରି ଏକ ର‍୍ୟାଲିରେ ଅଂଶଗ୍ରହଣ କରିଥିବାରୁ ତାଙ୍କୁ କ୍ୟାବିନେଟ୍‌ରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଆଜି ଲାଲ୍‌ ସିଂହଙ୍କର ଏଭଳି ବୟାନରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ସୁଜାତ୍‌ ବୁଖାରୀ ହତ୍ୟାକାଣ୍ଡକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ଏବେ କିଛି ଗୁଣ୍ଡା ଅନ୍ୟ ସାମ୍ବାଦିକମାନଙ୍କୁ ଧମକ ଦେବା ଆରମ୍ଭ କରିଛନ୍ତି । ଏହାକୁ କେହି ବରଦାସ୍ତ କରିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର