୮ କ୍ୟାବିନେଟ କମିଟିର ପୁର୍ନଗଠନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ସମସ୍ତ କମିଟିରେ ସଦସ୍ୟ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଦେଶରେ ନୂଆ ସରକାର ଗଠନ ହୋଇସାରିଛି । ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୮ଟି ପ୍ରମୁଖ କ୍ୟାବିନେଟ କମିଟିର ପୁର୍ନଗଠନ କରାଯାଇଛି । ଆଉ ସବୁଠାରୁ ବଡ କଥା ହେଲେ, ସବୁ କମିଟିରେ ସଦସ୍ୟ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କମିଟିଗୁଡିକ ମଧ୍ୟରେ ପ୍ରମୁଖ ହେଉଛି  ନିଯୁକ୍ତି ସମ୍ପର୍କିତ କମିଟି, ସୁରକ୍ଷା ଓ ଅର୍ଥନୀତି ସମ୍ପର୍କୀୟ କମିଟି । ଗତକାଲି ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ଓ ନିଯୁକ୍ତି ପାଇଁ ପୃଥକ କ୍ୟାବିନେଟ କମିଟି ଗଠନ କରିଥିଲେ  ଆଉ ଏହି ଦୁଇ କମିଟିରେ ସଦସ୍ୟ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମ ଥର ପାଇଁ ଏଭଳି ଦୁଇଟି କମିଟି ଗଠନ କରିଛନ୍ତି ନରେନ୍ଦ୍ର ମୋଦି । ଦେଶର ଅଭିବୃଦ୍ଧି ଓ ନିଯୁକ୍ତି ବଢାଇବା ଦିଗରେ ଏହି କମିଟି ରୋଡମ୍ୟାପ ପ୍ରସ୍ତୁତ କରିବ ।

ସେହିଭଳି ବୁଧବାରଦିନ ସୁରକ୍ଷା ସମ୍ପର୍କିତ କମିଟି ବି ଗଠନ କରାଯାଇଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମୀଳା ସୀତାରମଣ ସଦସ୍ୟ ଅଛନ୍ତି । ଜାତୀୟ ସୁରକ୍ଷା ଓ ବୈଦେଶିକ ବ୍ୟାପାର ସମ୍ପର୍କିତ ପ୍ରସଙ୍ଗଗୁଡିକୁ ଏହି କମିଟି ଦେଖିବ । ସେହିଭଳି ଆର୍ଥିକ ବ୍ୟାପର ସଂକ୍ରାନ୍ତୀୟ କ୍ୟାବିନେଟ କମିଟିରେ ବି ସାମିଲ ଅଛନ୍ତି ଗୃହମନ୍ତ୍ରୀ । ଏଭଳି ଭାବେ ସେ ୮ଟି ପ୍ରମୁଖ କମିଟିରେ ସଦସ୍ୟ ଅଛନ୍ତି । ଏହା ସୂଚାଉଛି ଯେ, ଦଳ ସହିତ ସରକାରରେ ବି ଅମିତ ଶାହଙ୍କ ପ୍ରଭାବ ରହିଛି । ଆଉ ମୋଦିଙ୍କ ପରେ ସରକାରରେ ସେ ହିଁ ନମ୍ବର -୨ ବୋଲି ପ୍ରାମାଣିତ ହୋଇଛି ।

ସମ୍ବନ୍ଧିତ ଖବର