ଜମ୍ମୁ-କାଶ୍ମୀରରେ ଅମିତ ଶାହ: ତିନି ପରିବାରର ଦାଦାଗିରି ଚଳିବ ନାହିଁ, ଜମ୍ମୁ ବାସିନ୍ଦାଙ୍କୁ ଆଡ଼େଇ ଚାଲିବାର ସମୟ ଚାଲିଯାଇଛି

ଜମ୍ମୁ ଆଇଆଇଟିର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ, ଶିକ୍ଷାର ସହର ହେବ ଜମ୍ମୁ କାଶ୍ମୀର: ଧର୍ମେନ୍ଦ୍ର

ଜମ୍ମୁ: ଜମ୍ମୁ ବାସିନ୍ଦାଙ୍କୁ ଆଡ଼େଇ ଚାଲିବାର ସମୟ ଚାଲିଯାଇଛି ଏବଂ ଏଣିକି କଶ୍ମୀର ଓ ଜମ୍ମୁର ଏକା ସାଙ୍ଗରେ ଉନ୍ନତି ହେବ ବୋଲି ରବିବାର ଜମ୍ମୁରେ ଏକ ଜନସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। କଂଗ୍ରେସ, ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ଏବଂ ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦୁଲ୍ଲାଙ୍କୁ ସିଧା ଟାର୍ଗେଟ୍‌ କରି ଶାହ କହିଥିଲେ ଯେ ଜମ୍ମୁ କାଶ୍ମୀରରେ ଏବେ ବିକାଶର ଯୁଗ ଆରମ୍ଭ ହୋଇଛି ଏବଂ କେବଳ ୩ଟି ପରିବାରର ଦାଦାଗିରି ଆଉ ଚଳିବ ନାହିଁ। ଜନସାଧାରଣ କାହାକୁ ଭୟ ନକରି ବିକାଶର ରାସ୍ତାରେ ସାମିଲ ହେବାକୁ ଶାହ ଆହ୍ବାନ ଦେଇଛନ୍ତି। ଜମ୍ମୁ କାଶ୍ମୀରରେ ଅନ୍ୟାୟର ସମୟ ଶେଷ ହୋଇଛି ଏବଂ ଲୋକଙ୍କୁ ଡରାଇ ଶାସନ କରିବା ଯୁଗର ପରିସମାପ୍ତି ହୋଇଛି। ଦେଶକୁ ଆଗକୁ ବଢ଼ାଇବା ପାଇଁ ଜମ୍ମୁ କାଶ୍ମୀରରୁ ଆତଙ୍କବାଦର ମୂଳପୋଛ ଜରୁରୀ ବୋଲି ଶାହ କହିଛନ୍ତି। ଅମିତ ଶାହ ବର୍ତ୍ତମାନ ତିନିଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଅଛନ୍ତି। ଅଗଷ୍ଟ ୫, ୨୦୧୯ରେ ଏହାର ସ୍ବତନ୍ତ୍ର ମାନ୍ୟତା ଓ ରାଜ୍ୟ ପାହ୍ୟା ହଟାଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ଶାହଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ।

ଭଗବତୀ ନଗର ଅଞ୍ଚଳରେ ଏକ ରୢାଲିରେ ଉଦ୍‌ବୋଧନ ଦେବା ଅବସରରେ ଗୃହମନ୍ତ୍ରୀ କହିଲେ ଯେ ଏଣିକି କେହି ଜମ୍ମୁ-କଶ୍ମୀରର ଉନ୍ନତିରେ ବାଧା ସୃଷ୍ଟି କରିପାରିବେ ନାହିଁ। ବର୍ତ୍ତମାନ ସୁଦ୍ଧା ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧୨,୦୦୦ କୋଟି ଟଙ୍କାର ପୁଞ୍ଜି ଆସି ସାରିଲାଣି ଏବଂ ୨୦୨୨ ଶେଷ ସୁଦ୍ଧା ଏଠାରେ ମୋଟ ୫୧,୦୦୦ କୋଟିର ପୁଞ୍ଜିନିବେଶ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଯଦି ଯୁବବର୍ଗ ଜମ୍ମୁ-କଶ୍ମୀରର ଉନ୍ନତିରେ ସାମିଲ ହୁଅନ୍ତି, ତେବେ ଆତଙ୍କବାଦୀମାନେ ତାଙ୍କ ଲକ୍ଷ୍ୟ ହାସଲରେ ବିଫଳ ହେବେ ବୋଲି ଶାହ ପ୍ରକାଶ କରିଥିଲେ।

ଜମ୍ମୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ଆଜି ଜମ୍ମୁ-କାଶ୍ମୀର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ହେବା ଦିଗରେ ଅଗ୍ରସର ବୋଲି ରବିବାର ଜମ୍ମୁ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏକ ନୂତନ ସ୍ଥାୟୀ କ୍ୟାମ୍ପସର ଉଦ୍‌ଘାଟନ, ଶିଳାନ୍ୟାସ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ନୂଆ ଶିକ୍ଷା ନୀତି ଅଧୀନରେ ଜମ୍ମୁରେ ଅବସ୍ଥାପିତ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦ୍ୱାରା ବହୁମୁଖୀ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଇଆଇଟି ଜମ୍ମୁର ନୂଆ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ସହ ଛାତ୍ରାବାସ, ଜିମ୍ ସୁବିଧା, ଇଣ୍ଡୋର ଗେମ୍ସ ଭଳି ବିଭିନ୍ନ ଅତ୍ୟାଧୁନିକ ସୁବିଧା ପ୍ରଦାନ କରିବ। ଆଇଆଇଟିର ଏହି ନୂଆ କ୍ୟାମ୍ପସ ଭାରତ ସରକାରଙ୍କ ଜମ୍ମୁ କାଶ୍ମୀରର ବିକାଶ ପାଇଁ ନେଇଥିବା ସଂକଳ୍ପକୁ ଦର୍ଶାଉଛି ବୋଲି ସେ କହିଛନ୍ତି। ନୂଆ ଶିକ୍ଷା ନୀତି -୨୦୨୦ ଅଧୀନରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଜମ୍ମୁ ବହୁମୁଖୀ ଶିକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି। ଟନେଲ ଇଞ୍ଜିନିୟରିଂ, ହିମାଳୟ ଓ ପାହାଡ଼ର ବିକାଶ, ପାହାଡ଼ରେ ଜୀବନଶୈଳୀକୁ ସହଜ କରିବା ଏବଂ ଅନ୍ୟ ପରିବେଶ ସୁରକ୍ଷା ସମ୍ବନ୍ଧିତ ଅନେକ ବିଷୟ ଉପରେ ଦେଶରେ ପ୍ରଥମ ଥର ପାଇଁ ଜମ୍ମୁ ସ୍ଥିତ ଆଇଆଇଟି ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଆଗାମୀ ଦିନରେ ଜମ୍ମୁ-କାଶ୍ମୀର ଶିକ୍ଷାର ସହର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଗୃହମନ୍ତ୍ରୀଙ୍କ ଦ୍ବାରା ଆଇଆଇଟି ଜାମ୍ମୁ ଏବଂ ସପ୍ତର୍ଶୀ ସ୍ଥାୟୀ କ୍ୟାମ୍ପସର ଫେଜ୍ ୧ଏ ଏବଂ ୧ବି ର ଉଦଘାଟନ ହୋଇଥିବା ବେଳେ ଫେଜ୍ ୧ସି ପାଇଁ ଶିଳାନ୍ୟାସ ହୋଇଛି।

ସମ୍ବନ୍ଧିତ ଖବର