ଜମ୍ମୁ:: ଏବେ ୩ ଦିନିଆ ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗତକାଲିଠାରୁ ଏହି ଗସ୍ତ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଇନ୍ସପେକ୍ଟରଙ୍କ ପରିବାରକୁ ଭେଟିଥିଲେ ଗୃହମନ୍ତ୍ରୀ ଏବଂ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ଆଜି ଗସ୍ତର ଦ୍ବିତୀୟ ଦିନ ଥିବା ବେଳେ ‌ସେ ଜମ୍ମୁରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏକ ନୂତନ କ୍ୟାମ୍ପସ୍ ଉଦଘାଟନ କରିଛନ୍ତି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ସହ ପରେ ସେ ସାଂସଦ, ବିଧାୟକ ଏବଂ ବିଜେପିର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଭେଟିବେ ବୋଲି ଜଣାପଡ଼ିଛି।

Advertisment

ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦଘାଟନ ସମୟରେ ଉପସ୍ଥିତ ଥିବା ଜଣାପଡ଼ିଛି। ଆଇଆଇଟି ଜାମ୍ମୁର ପ୍ରଥମ ଫେଜ୍ ୧ଏ ଏବଂ ୧ବି ମୋଟ ୨୧୦କୋଟି ଟଙ୍କା ମୂଲ୍ୟରେ ତିଆରି କରାଯାଇଥିବା ବେଳେ ଫେଜ୍ ୧ସି  ୭୦୦.୧୯ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବ ବୋଲି ଆକଳନ କରାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Image

ତେବେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପୂର୍ବରୁ କେନ୍ଦ୍ର ସେଠାରେ ବିକାଶମୂଳକ କାମ କରିବା ଆରମ୍ଭ କରିସାରିଛି। ଗତକାଲି ଜମ୍ମୁ ଓ କଶ୍ମୀରର ୟୁଥ କ୍ଲବର ସଦସ୍ୟମାନଙ୍କ ସହିତ କଥା ହୋଇ ଶାହ କହିଥିଲେ ଯେ, ଆମେ କାହିଁକି ସୀମା ପୁନଃନିର୍ଦ୍ଧାରଣ ବନ୍ଦ କରିବୁ? ଏବେ କଶ୍ମୀରରେ କିଛି ବନ୍ଦ ହେବ ନାହିଁ। ଜମ୍ମୁ ଓ କଶ୍ମୀରରେ ଏବେ ନିର୍ବାଚନ ହେବ। ନିର୍ବାଚନ ପରେ ପ୍ରଥମେ ସୀମା ପୁନଃନିର୍ଦ୍ଧାରଣ ହେବ ଏବଂ ପରେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ, ଯାହାଦ୍ୱାରା କଶ୍ମୀରର ଯୁବକଯୁବତୀମାନେ ବିଭିନ୍ନ ସୁଯୋଗ ପାଇବାରୁ ବଞ୍ଚିତ ହେବେ ନାହିଁ। ମୁଁ କଶ୍ମୀରୀ ଯୁବକଯୁବତୀମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ଏଠାକୁ ଆସିଛି। ଜାମ୍ମୁ-କଶ୍ମୀରରେ ବିକାଶରେ କେହି ବାଧା ଦେଇ ପାରିବେ ନାହିଁ । ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।