ଶାହ ନୂଆ ସ୍ବରାଷ୍ଟ୍ର ମନ୍ତ୍ରୀ, ସୀତାରମଣଙ୍କୁ ଅର୍ଥ, ଜୟଶଙ୍କର ବୈଦେଶିକ, ରାଜନାଥଙ୍କୁ ପ୍ରତିରକ୍ଷା

ଧର୍ମେନ୍ଦ୍ର, ପ୍ରତାପଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଆଜି ବିଭାଗ ବଣ୍ଟନ କରାଯାଇଛି। ମୋଦୀ ସରକାର ୨.୦ରେ ସାମିଲ ହୋଇଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁଠାରୁ ନିର୍ଭରଯୋଗ୍ୟ ସାଥୀ ଭାବେ ଶାହ ଗୁଜରାଟରେ ମୋଦୀଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଗୃହ ମନ୍ତ୍ରାଳୟର ଦାୟିତ୍ବ ନିର୍ବାହ କରିଛନ୍ତି। ଏଥର କେନ୍ଦ୍ରରେ ମୋଦୀ ମନ୍ତ୍ରିମଣ୍ଡଳର ସବୁଠାରୁ ପ୍ରଭାବଶାଳୀ ଚେହେରା ଅମିତ ଶାହଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦାୟିତ୍ବ ମିଳିଥିବା ବେଳେ ମୋଦୀ ସରକାର-୧ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ମିଳିଛି। ନିର୍ମଳା ସୀତାରମଣଙ୍କୁ ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ କରାଯାଇଛି। ପୂର୍ବ ସରକାରରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟ୍‌ଲିଙ୍କ ଅନୁପସ୍ଥିତିରେ ଏଥର ମୋଦୀ ନିର୍ମଳାଙ୍କୁ ଅର୍ଥ ମନ୍ତ୍ରାଳୟର ଗୁରୁଦାୟିତ୍ବ ଅର୍ପଣ କରିଛନ୍ତି। କେନ୍ଦ୍ରରେ ପୂର୍ଣ୍ଣ କାଳୀନ ଅର୍ଥ ମନ୍ତ୍ରୀ ହେବାରେ ‌େସ ହେଉଛନ୍ତି ପ୍ରଥମ ମହିଳା ନେତ୍ରୀ। ନୀତିନ ଗଡ଼କରୀଙ୍କୁ ପୂର୍ବ ଭଳି ସଡ଼କ ପରିବହନ ମନ୍ତ୍ରାଳୟ ମିଳିଥିବା ବେଳେ ମୋଦୀଙ୍କ ‘ସରପ୍ରାଇଜ୍‌’ କୁହାଯାଉଥିବା ପୂର୍ବ ବିଦେଶ ସଚିବ ଏସ୍‌ ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରାଳୟର ଦାୟିତ୍ବ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ପେଟ୍ରୋଲିୟମ ମନ୍ତ୍ରୀ କରାଯାଇଛି। ଏହାସହିତ ତାଙ୍କୁ ଇସ୍ପାତ ବିଭାଗ ଦାୟିତ୍ବ ମଧ୍ୟ ମିଳିଛି। ସ୍ମୃତି ଇରାନୀଙ୍କୁ ମହିଳା, ଶିଶୁ ବିକାଶ ସହିତ ବୟନ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଛି। ନରେନ୍ଦ୍ର ସିଂହ ତୋମରଙ୍କୁ କୃଷି ଏବଂ ପଂଚାୟତିରାଜ ମନ୍ତ୍ରାଳୟ ମିଳିଛି।

ଏହା ବ୍ୟତୀତ ସଦାନନ୍ଦ ଗୌଡ଼ାଙ୍କୁ ରସାୟନ ଏବଂ ସାର, ପୀୟୂଷ ଗୋୟଲଙ୍କୁ ରେଳ, ରବିଶଙ୍କର ପ୍ରସାଦ ଆଇନ, ଡ ହର୍ଷବର୍ଦ୍ଧନଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ମାନବ ସମ୍ବଳ ବିକାଶ ଏବଂ ମୁଖ୍‌ତାର ଅବ୍ବାସ ନକ୍‌ଭୀଙ୍କୁ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରାଳୟ ମିଳିଛି। ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର, ଥାୱର ଚନ୍ଦ ଗେହଲଟଙ୍କୁ ସାମାଜିକ ନ୍ୟାୟ ମନ୍ତ୍ରାଳୟ ମିଳିଛି। ପ୍ରକାଶ ଜାଭ୍‌ଡେକରଙ୍କୁ ସୂଚନା ଏବଂ ପ୍ରସାରଣ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଛି। ବିଜେପି ଇସ୍ତାହାରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ‘ଜଳ ଶକ୍ତି’ ମନ୍ତ୍ରାଳୟ ଆରମ୍ଭ କରାଯାଇ ଏହାର ଦାୟିତ୍ବ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଦିଆଯାଇଛି।

ଏନ୍‌ଡିଏର ସହଯୋଗୀ ଦଳର ସଦସ୍ୟ ପୂର୍ବ ସରକାରରେ ଯେଉଁ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ ତାହା ଏଥର ମଧ୍ୟ କାଏମ ରହିଛି। ଏଲ୍‌ଜେପି ସୁପ୍ରିମୋ ରାମ ବିଳାସ ପାଶ୍ବାନଙ୍କୁ ଏଥର ମଧ୍ୟ ଖାଦ୍ୟ ଏବଂ ଗଣବଣ୍ଟନ ମନ୍ତ୍ରାଳୟ ମିଳିଥିବା ବେଳେ ହରସମ୍ରନ କୌର ବାଦଲଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆର୍‌ପିଆଇ ନେତା ରାମଦାସ ଅଠାବଲେଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରାଳୟ ଦାୟିତ୍ବ ମିଳିଛି। ଶିବସେନା ‌କୋଟାରୁ ମନ୍ତ୍ରୀ ହୋଇଥିବା ଅରବିନ୍ଦ ସାୱନ୍ତଙ୍କୁ ଭାରୀ ଉଦ୍ୟେମ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି।

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଅନ୍ୟ ୫୭ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏଥର ମୋଦୀଙ୍କ କ୍ୟାବିନେଟ୍‌ରେ ୨୪ କ୍ୟାବିନେଟ୍‌ ମନ୍ତ୍ରୀ, ୯ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

ସେହିଭଳି ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ଏବଂ ପଶୁ ସଂପଦ ବିଭାଗ ମିଳିଛି।

ସମ୍ବନ୍ଧିତ ଖବର