ନୂଆଦିଲ୍ଲୀ:ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲାର ଗଂଜବାସୌଦା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକ ଲୀନା ଜୈନ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖକୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ଆସିଛି,ଯେଉଁଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଗଂଜବାସୌଦା ଆସିଲେ ବୋମାରେ ଉଡ଼ାଇ ଦିଆଯିବ ବୋଲି ଲେଖା ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ମଧ୍ୟ ସେହି ଭଳି ଧମକ ଦିଆଯାଇଛି ଏହି ଚିଠିରେ।
ବିଦିଶା ଜିଲ୍ଲା ଏସ୍ପି ବିନାୟକ ବର୍ମା ଏ ସଂପର୍କରେ କହିଛନ୍ତି ବିଧାୟକ ଲୀନା ଜୈନଙ୍କ ପାଖକୁ ଆସିଥିବା ଚିଠିରେ କେବଳ ଅମିତ ଶାହା ଓ ଲୀନା ଜୈନଙ୍କୁ ନୁହେଁ, ବରଂ ଗଂଜବାସୌଦା ରେଳ ଷ୍ଟେସନ,ବସଷ୍ଟାଣ୍ଡ ଓ ସରକାରୀ ଡାକ୍ତରଖାନାକୁ ମଧ୍ୟ ବୋମାରେ ଉଡ଼ାଇ ଦିଆଯିବାର ଧମକ ଦିଆଯାଇଛି। ସେ କହିଛନ୍ତି ଯେ ଏହା କୌଣସି ମାନସିକ ବିକୃତ ବ୍ୟକ୍ତିର କାମ ବୋଲି ଅନୁମାନ କରାଯାଉଛି। ତେବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୋପାଳରୁ ବୋମା ନିରୋଧକ ଟିମକୁ ଡକାଯାଇ ରେଳ ଷ୍ଟେସନ,ହସ୍ପିଟାଲ ଓ ବସଷ୍ଟାଣ୍ଡ ଆଦି ସ୍ଥାନରେ ଯାଞ୍ଚ କରାଯାଇଛି।