ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗରେ ଟିଜାରାର ବିଜେପି ବିଧାୟକ ବାବା ବାଲକନାଥ ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି। ଉଭୟଙ୍କ ସାକ୍ଷାତ ପରେ ସଂଧ୍ୟାରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ତାଙ୍କ ବାସଭବନ ଯାଇଥିବା ଜଣାଯାଇଛି । ଏସବୁ ଘଟଣାକ୍ରମ ପରେ ବାଳକନାଥ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ଥିବା ଚର୍ଚ୍ଚା ହେଉଛି । ବାଳକନାଥ ମଧ୍ୟ ଯୋଗୀଙ୍କ ଭଳି ନାଥ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କରାଯାଉଛି।

Advertisment

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ଧରା ରାଜେ ମଧ୍ୟ ଦିଲ୍ଲୀରେ ଅଛନ୍ତି । ସେ ମଧ୍ୟ ଦଳର ଶୀର୍ଷ ନେତୃତ୍ବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି । ସେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ । ଏହାଛଡ଼ା ଓଡ଼ିଶାରୁ ରାଜ୍ୟସଭା ସାଂସଦ ଥିବା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ସିଏମ ଦୌଡ଼ରେ ରହିଛନ୍ତି ।

ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଛି,  ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ ଘୋଷଣା ହୋଇପାରିନାହିଁ । ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା ହୋଇପାରି ନାହିଁ ।