ଆଲୋଚନା ସ୍ଥଗିତ, ସନ୍ଧ୍ୟାରେ ଚାଷୀ ନେତାଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆହୂତ ‘ଭାରତ ବନ୍ଦ’ ଆଜି ସଫଳ ହୋଇଛି। ତେବେ ଆସନ୍ତାକାଲି କେନ୍ଦ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଆଜି ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୧୩ଟି ଚାଷୀ ସଂଗଠନର ନେତାମାନଙ୍କ ସହ ଆଲୋଚନା କରିଥିଲେ। ବୈଠକ ପରେ ଚାଷୀ ନେତାମାନେ କହିଛନ୍ତି ଯେ କାଲି ସରକ‌ାରଙ୍କ ସହିତ ଆଲୋଚନା ହେବ ନାହିଁ। ସରକାର କେତେକ ପ୍ରସ୍ତାବ ଦେବେ। ଏହାଉପରେ ଆଲୋଚନା କରାଯିବ। କିନ୍ତୁ ଆଜିର ବୈଠକରେ ଚାଷୀ ନେତାମାନେ ନୂଆ‌ କୃଷି ନୀତିକୁ ପ୍ରତ୍ୟାହାର କରିବା ଜିଦରେ ଅଟଳ ରହିଥିଲେ। ତେବେ ଶାହ ସ୍ପଷ୍ଟ କରିଦେଇଥିଲେ ଯେ ସରକାର ନୂଆ ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ତେବେ ଏଥିରେ କେତେକ ସଂଶୋଧନ ଆଣିବା ଲାଗି ସେ ପ୍ରସ୍ତାବ ଦେଇଥିଲେ। ଏହା ଉପରେ କାଲି ଚାଷୀ ନେତାମାନଙ୍କ ମଧ୍ୟରେ ଆଲୋଚନା ହେବ।

ନୂଆଦିଲ୍ଲୀସ୍ଥିତ ଆଇସିଏଆର୍‌ ଗେଷ୍ଟ ହାଉସରେ ଏହି ବୈଠକ ବସିଥିଲା। ୧୩ ଜଣ ଚାଷୀ ନେତା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି କୃଷି ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଆଜି ‘ଭାରତ ବନ୍ଦ’ ପାଳନ ପରେ ପରେ କୃଷକ ନେତାମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ ଅମିତ ଶାହ। ତେବେ ସେମାନେ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କେବଳ ‘ହଁ’ କିମ୍ବା ‘ନା’ରେ ଉତ୍ତର ଚାହାନ୍ତି ବୋଲି କହିଥିଲେ କୃଷକ ନେତା ରୁଦ୍ରୁ ସିଂହ ମନ୍‌ସା। ଗୃହମନ୍ତ୍ରୀଙ୍କ ସହ ଦୀର୍ଘ ଆଲୋଚନାର କୌଣସି ଅର୍ଥ ନାହିଁ ବୋଲି କୃଷକ ନେତାମାନେ କହିଛନ୍ତି। ଆଜି ଶାହଙ୍କ ସହ ବୈଠକରେ କୃଷକ ନେତା ରାକେଶ ଟିକାୟତ, ଗୁର୍‌ନାମ ସିଂହ, ହନ୍ନନ ମୁଲ୍ଲା, ବଲ୍‌ବୀର ସିଂହ, ମନ୍‌ଜିତ ସିଂହ, ହରିନ୍ଦର ସିଂହ, ଦର୍ଶନ ପାଲ୍‌, ଜଗଜିତ୍‌ ସିଂହ ପ୍ରମୁଖ ସାମିଲ ହୋଇଥିଲେ।

ଅପରପକ୍ଷେ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ ବିରୋଧୀ ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ସିପି ନେତା ଶରଦ ପାୱାର, ସିପିଏମ୍‌ ନେତା ସୀତାରାମ ୟେଚୁରି ପ୍ରମୁଖ ସାମିଲ୍‌ ରହିବେ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ମାତ୍ର ୫ ଜଣ ବିରୋଧୀ ଦଳ ପ୍ରତିନିଧି ଆସନ୍ତାକାଲି ରାଷ୍ଟ୍ରପତିଙ୍କୁ ଭେଟିବେ ବୋଲି ସିପିଏମ୍‌ ନେତା ୟେଚୁରୀ କହିଛନ୍ତି।

ସମ୍ବନ୍ଧିତ ଖବର