କଥା ଖସିଗଲା ପାଟିରୁ; ହରଡ଼ଘଣାରେ ପଡ଼ିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା

‘କର୍ଣ୍ଣାଟକରେ ୟେଦୁରାପ୍ପା ସରକାର ଦୁର୍ନୀତିରେ ୧ ନମ୍ବର’: ଅମିତ ଶାହା

ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଆଜି ପଡ଼ି ଯାଇଛନ୍ତି ଏକ ଅଡ଼ୁଆ ଜନକ ପରିସ୍ଥିତିରେ। ଅଜ୍ଞାତସାରରେ ତାଙ୍କ ପାଟିରୁ ଖସି ଯାଇଥିବା କଥା ପଦିଏ ପାଇଁ ସେ ତ ଯାହା ଲୋକହସା ହେବା ସହ ଅକଳରେ ପଡ଼ିଛନ୍ତି, ତା’ ସହ ନିଜ ଦଳକୁ ମଧ୍ୟ ଏକ ଲଜ୍ଜାଜନକ ପରିସ୍ଥିତି ମଧ୍ୟକୁ ଠେଲି ଦେଇଛନ୍ତି। ଆଉ ଏପରି ଏକ ସୁବର୍ଣ୍ଣ ସୁଯୋଗକୁ ଆଦୌ ହାତଛଡ଼ା କରିବାକୁ ଦେଇନାହିଁ କଂଗ୍ରେସ।

ଘଟଣାଟି ଏହିପରି: କର୍ଣ୍ଣାଟକରେ ଆଗାମୀ ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ଦୀର୍ଘ ଦିନ ତଳୁ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଆଜି ପୂର୍ବାହ୍ନରେ ବେଙ୍ଗାଲୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରୁଥିଲେ ଭାଜପା ଅଧ୍ୟକ୍ଷ ଅମିତ ଶାହା।

ସାମ୍ବାଦିକ ସମ୍ମଳନୀ ଆରମ୍ଭ କରି ଅମିତ ଶାହା କହିଲେ, ‘ଯଦି କର୍ଣ୍ଣାଟକରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର କିଏ ଓ କାହାର ବୋଲି କେବେ ପ୍ରତିଯୋଗିତା ହୁଏ; ତେବେ ଏଥିରେ ସବୁଠାରୁ ଆଗରେ ରହିବେ ୟଦୁରାପ୍ପା ସରକାର।’

ଶାହା ଅବଶ୍ୟ ଏକଥା ମଜାରେ କହୁ ନଥିଲେ; ଅତ୍ୟନ୍ତ ଗମ୍ଭୀର ଭାବେ କହୁଥିଲେ। ସେତେବେଳକୁ ସେଇ ସାମ୍ବାଦିକ ସମ୍ମଳନୀରେ ଅମିତ ଶାହାଙ୍କ କଡ଼ରେ ବସିଥିଲେ ୟେଦୁରାପ୍ପା। ବିଏସ୍‌ ୟେଦୁରାପ୍ପା ହେଉଛନ୍ତି କର୍ଣ୍ଣାଟକରେ ଭାଜପାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଭାଜପାର ରାଜ୍ୟ ମୁଖ୍ୟ ଓ ଆଗାମୀ ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ପାର୍ଟି ଅଧ୍ୟକ୍ଷ ଶାହାଙ୍କ ଏବକ୍ତବ୍ୟ ଶୁଣି ହଡ଼ବଡ଼େଇ ଗଲେ ୟେଦୁରାପ୍ପା। ସେ ଯେତେବେଳେ ତାଙ୍କ କାନରେ ଫୁସ୍‌ଫୁସ୍‌ ହୋଇ ତାଙ୍କ ବକ୍ତବ୍ୟ ବାବଦରେ କହିଲେ, ସେତେବେଳେ ଯାଇ ପ୍ରକୃତିସ୍ଥ ହେବା ସହ ନିଜ ଭୁଲ୍‌ ବୁଝିପାରିଥିଲେ ଶାହା।


ତହୁଁ, ସେ ନିଜ ଭୁଲ୍‌ ସୁଧାରିବାକୁ ଯାଇ କହିଥିଲେ, ‘ମୁଁ କହୁଥିଲି ଦୁର୍ନୀତିରେ ପ୍ରଥମ ସ୍ଥାନ ଅଧିକାର କରିବେ ସିଦ୍ଧରମାୟା!’ ଉଲ୍ଲେଖଯୋଗ୍ୟ, ଏବେ କର୍ଣ୍ଣାଟକରେ ଶାସନ କ୍ଷମତାରେ ଅଛି କଂଗ୍ରେସ ଦଳ, ଆଉ ଏହାର ମୁଖ୍ୟମନ୍ତ୍ରୀ ଅଛନ୍ତି ସିଦ୍ଧରମେୟା।


ତେବେ, ଅମିତ ଶାହା ନିଜ ଭୁଲ୍‌ ସୁଧାରିଲା ବେଳକୁ ବହୁ ବିଳମ୍ବ ହୋଇସାରିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅବିଳମ୍ବେ ଟୁଇଟ୍‌ କରି, ପ୍ରକୃତ ସତ ଜନସାଧାଣଙ୍କୁ ଜଣାଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଏଥିସହ କଂଗ୍ରେସ ପାଇଁ ପ୍ରଚାର କରିଥିବାରୁ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଥିଲେ। କଂଗ୍ରେସ ଦଳ ମଧ୍ୟ ୟେଦୁରାପ୍ପାଙ୍କ ଅସଲ ସ୍ୱରୂପ କର୍ଣ୍ଣାଟକବାସୀଙ୍କୁ ଜଣାଇ ଦେଇଥିବାରୁ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛି। କାରଣ, ଭାଜପାର ୟେଦୁରାପ୍ପାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ କର୍ଣ୍ଣାଟକରେ ହୋଇଥିବା ଦୁର୍ନୀତି ବାବଦରେ ସମଗ୍ର ଦେଶ ଭଲରୂପେ ପରିଚିତ ବୋଲି କହିଛି କଂଗ୍ରେସ।

ସମ୍ବନ୍ଧିତ ଖବର