ଦିଲ୍ଲୀରେ କୋଭିଡ୍-୧୯ ନମୁନା ପରୀକ୍ଷା ଦେୟର ୫୦% ଛାଡ଼ କରିବାକୁ ଅମିତ ଶାହାଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନ ୧୧ଟା ବେଳେ ଦିଲ୍ଲୀରେ ନଭେଲ୍ କରୋନାଭାଇରସ୍ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବାକୁ ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ସମସ୍ତ ରାଜନୈତିକ ଦଳକୁ ନେଇ ସର୍ବଦଳୀୟ ବୈଠକ କରିଥିଲେ।

ଦିଲ୍ଲୀରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କରୋନାଭାଇରସ୍ ମହାମାରୀ ରୋକିବା ପଦକ୍ଷେପ ସମ୍ପର୍କରେ ଶାହା ଦିଲ୍ଲୀର ଚାରିଟି ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କୁ ଅବଗତ କରାଇ ଏ ସଂକ୍ରାନ୍ତରେ ସେମାନଙ୍କର ମତ ଲୋଡ଼ିଥିବା କଥା ଗୃହ ମନ୍ତ୍ରାଳୟ ଜଣେ ଅଧିକାରୀ କହିଛନ୍ତି।

ବିଜେପି, କଂଗ୍ରେସ, ଆମ୍‌ ଆଦ୍‌ମି ପାର୍ଟି ଏବଂ ବିଏସ୍‌ପିର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।  କୋଭିଡ୍-୧୯ ପରୀକ୍ଷା ଉପରେ ୫୦% ଦେୟ ଛାଡ଼ କରିବାକୁ ଏହି ବୈଠକରେ ବିଜେପି କରିଥିବା ଦାବିକୁ ଅମିତ ଶାହା ମଞ୍ଜୁର କରିଛନ୍ତି।

Image Courtesy of Hindustan Times

ଆପ୍ ନେତା ସଞ୍ଜୟ ସିଂହ କହିଲେ ଯେ, ଜୁନ୍ ୨୦ ତାରିଖ ଠାରୁ ଦିଲ୍ଲୀରେ ଦୈନିକ କୋଭିଡ୍-୧୯ ପରୀକ୍ଷା ପ୍ରାୟ ୧୮ ହଜାରେ ପହଞ୍ଚିବ। ଅବିଳମ୍ବେ ଦିଲ୍ଲୀର କୋଭିଡ୍-୧୯ ପରୀକ୍ଷା ମୂଲ୍ୟ ମାତ୍ର ୪୫୦ ଟଙ୍କା ଧାର୍ଯ୍ୟ କରାଯିବ। କାର୍ଯ୍ୟଧାରା ଉପରେ ଆଲୋଚନା କରିବାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ଙ୍କ ମଧ୍ୟରେ ଆହୁରି ବୈଠକ ବସିବ। କୋଭିଡ୍-୧୯ ପରିଚାଳନା ନିମନ୍ତେ ପାର୍ଟି କ୍ୟାଡର୍ କାର୍ଯ୍ୟ କରିବେ।

ସର୍ବଦଳୀୟ ବୈଠକରେ ଦିଲ୍ଲୀ କଂଗ୍ରେସର ମୁଖ୍ୟ ଅନୀଲ ଚୌଧୁରୀ କହିଲେ ଯେ, କୋଭିଡ୍-୧୯ ପରୀକ୍ଷା ନିମନ୍ତେ ସମସ୍ତଙ୍କର ଅଧିକାର ରହିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ନୂତନ ପରୀକ୍ଷା ନୀତିରେ ସମସ୍ତଙ୍କର ପରୀକ୍ଷା କରାଇବା ଅଧିକାର ରହିବ ବୋଲି ଗୃହମନ୍ତ୍ରୀ ପ୍ରତିଶ୍ରୁତ ଦେଇଛନ୍ତି।

ସମ୍ବନ୍ଧିତ ଖବର