ନୂଆଦିଲ୍ଲୀ: ଜୁଲାଇ ୨୧ରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଶେଷ ହେବା ପରେ  ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଜଗଦୀପ ଧନଖଡ଼ ଲେଖିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ହଠାତ୍ ତାଙ୍କର ଇସ୍ତଫା ଦେବା ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା  ପଛର ପ୍ରକୃତ କାରଣ କ’ଣ ତାହା ଜାଣିବାକୁ ଚାହିଁଥିଲେ ଲୋକେ। ସ୍ବାସ୍ଥ୍ୟ ସମସ୍ୟା ଏହାର କାରଣ ବୋଲି ଧନଖଡ଼ ‌କହିଥିଲେ ବି କେହି ଏହାକୁ ବିଶ୍ବାସ କରିନଥିଲେ। ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଧନଖଡ଼ଙ୍କ ଇସ୍ତଫା ପଛର କାରଣ ଜଣାଇଛନ୍ତି।

Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର କହିଛନ୍ତି ଯେ, ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ। ତା‌ଙ୍କ କହିବା ମୁତାବକ, "ଧନଖଡ଼ଜୀ ଏକ ସାମ୍ବିଧାନିକ ପଦବୀରେ ବସିଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସେ ସମ୍ବିଧାନ ଅନୁସାରେ ଭଲ କାମ କରିଥିଲେ। ସେ ତାଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଇସ୍ତଫା ଦେଇଛନ୍ତି। ଏହା ଉପରେ ଅଧିକ ତର୍ଜମା କରି କିଛି ଖୋଜିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ।"

ଧନଖଡ଼ଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାକୁ ଥିଲା। ପ୍ରାୟ ୨ବର୍ଷ ପୂର୍ବରୁ ଜୁଲାଇ ୨୧ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ସେପ୍ଟେମ୍ବର ୯ତାରିଖରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଉପ-ରାଷ୍ଟ୍ରପତି ନିର୍ବାଚନରେ ପାଇଁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥି କରିଥିବା ବେଳେ ଇଣ୍ଡି ମେଣ୍ଟର ପ୍ରାର୍ଥି ହୋଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀ।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ୧୧ରୁ ‌ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଥିଲେ। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ୧୯୯୦ରୁ ୧୯୯୧ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୯ରେ ଆଇନଜୀବୀ ଭାବେ ସେ ରାଜସ୍ଥାନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।