ନୂଆଦିଲ୍ଲୀ: ଶ୍ରୀନଗରରେ ଅପରେସନ ମହାଦେବ ଅନ୍ତର୍ଗତ ନିହତ ତିନି ଜଣ ଆତଙ୍କବାଦୀ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଥିଲା। କିନ୍ତୁ ଆତଙ୍କବାଦୀଙ୍କ ପରିଚୟ ବିଷୟରେ ସରକାର କିମ୍ବା ସେନା ପକ୍ଷରୁ କିଛି କୁହାଯାଇ ନଥିଲା।
ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ବିଷୟରେ ଆଲୋଚନା ଜୋର ଧରିଛି। ପହଲଗାମ ଆକ୍ରମଣର ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ବିରୋଧୀ ଦଳ ସରକାରଙ୍କୁ କଡ଼ା ସମାଲୋଚନା କରି ଚାଲିଛନ୍ତି।।
ଏଭଳି ସମୟରେ ଅମିତ ଶାହ ମଙ୍ଗଳବାର ଅପରେସନ ମହାଦେବ ବିଷୟରେ ସଂସଦରେ ବିସ୍ତୃତ ସୂଚନା ଦେଇ କହିଥିଲେ,‘ ପହଲଗାମ ଆକ୍ରମଣର ପ୍ରତିଶୋଧ ନିଆଯାଇଛି ଏବଂ ଭାରତୀୟ ସେନା ଦ୍ୱାରା ପାକିସ୍ତାନୀ ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇଛି।’
ଏହାପରେ ବିରୋଧୀ ଦଳ ଅମିତ ଶାହଙ୍କୁ ପ୍ରଶ୍ନ କରି କହିଥିଲେ, ‘ନିହତ ଆତଙ୍କବାଦୀଙ୍କୁ କିପରି ଚିହ୍ନଟ କରାଯାଇଥିଲା ଯେ ଏମାନେ ସେହି ତିନି ଜଣ ଆତଙ୍କବାଦୀ ଯେଉଁମାନେ ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ।’
ବିରୋଧୀଙ୍କ ଏ ପ୍ରଶ୍ନର ଉତ୍ତରକୁ ଅମିତ ଶାହଙ୍କୁ ସ୍ପଷ୍ଟ ଭାବେ ଦେଇ କହିଥିଲେ, ‘ଆତଙ୍କବାଦୀଙ୍କ ପରିଚୟ ଜାଣିବା ପାଇଁ ଚାରିରୁ ପାଞ୍ଚ ରାଉଣ୍ଡର ଯାଞ୍ଚ କରାଯାଇଥିଲା । ଶେଷରେ ଆଜି ସକାଳ ୪.୪୬ରେ ଚଣ୍ଡିଗଡ଼ରୁ ବୈଜ୍ଞାନିକଙ୍କ ଠାରୁ ଆସିଥିବା ଏକ ଫୋନ୍ ସବୁକିଛି ସ୍ପଷ୍ଟ କରିଥିଲା।
ଆତଙ୍କବାଦୀଙ୍କ ପରିଚୟ ଜାଣିବା କରିବା ପାଇଁ ସେମାନଙ୍କଠାରୁ ଜବତ ହୋଇଥିବା ତିନୋଟି ରାଇଫଲ୍ ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଶ୍ରୀନଗରରୁ ଚଣ୍ଡିଗଡ଼ ପରିବହନ କରାଯାଇଥିଲା ଏବଂ ରାତିସାରା ଏହି ରାଇଫଲରୁ ଗୁଳି ଚଳାଇ ସେମାନଙ୍କର କାଟ୍ରିଜ୍ ସୃଷ୍ଟି କରାଯାଇଥିଲା।
ଉଭୟ କାଟ୍ରିଜ୍ ମେଳ ଖାଉଥିଲା, ଅର୍ଥାତ୍ ପହଲଗାମରେ ମିଳିଥିବା କାଟ୍ରିଜ୍ ଏବଂ ଚଣ୍ଡିଗଡ଼ରେ ଗୁଳିକାଣ୍ଡରେ ମିଳିଥିବା କାଟ୍ରିଜ୍ ମେଳ ଖାଉଥିବା ୬ ଜଣ ବୈଜ୍ଞାନିକ ନିଶ୍ଚିତ ହୋଇଥିଲେ ।
ଏହାପରେ ସକାଳ ୪.୪୬ରେ ବୈଜ୍ଞାନିକମାନେ ଫୋନ୍ କରି କହିଥିଲେ, ‘ ଯେ ଜବତଗୁଳିଗୁଡ଼ିକ ୧୦୦ ପ୍ରତିଶତ ପହଲଗାମରେ ଗୁଳି ଚଳାଇଥିବା ସମାନ ଗୁଳି।’ ତା’ପରେ ଏହା ସ୍ପଷ୍ଟ ହେଲା ଯେ ଆମର ନିର୍ଦ୍ଦୋଷ ନାଗରିକମାନଙ୍କୁ ଏହି ତିନୋଟି ରାଇଫଲ୍ ସାହାଯ୍ୟରେ ହତ୍ୟା କରାଯାଇଥିଲା।’