ପଶ୍ଚିମବଙ୍ଗରେ ବିଜେପି ସଭାପତିଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଅମିତ ଶାହା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ  ବିଜେପି ସଭାପତି ଜେ.ପି.ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରିପୋର୍ଟ ଦେବାକୁ ସେ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ରିପୋର୍ଟ ମଗାଯାଇଛି ।

ଗତକାଲି ବିଜେପି ସଭାପତି ଜେ.ପି. ନଡ୍ଡା ଓ ରାଜ୍ୟ ପ୍ରଭାରି କୈଳାଶ ବିଜୟବର୍ଗୀୟ କୋଲକତାଠାରୁ ୬୦ କିଲୋମିଟର ଦୂର ଡାଇମଣ୍ଡ ହାର୍ବରଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ତାଙ୍କ କ୍ୟାରିକେଡ ଉପରେ ଆକ୍ରମଣ ହୋଇଥିଲା । ନଡ୍ଡା ଡାଇମଣ୍ଡ ହାର୍ବର ଯାଉଥିବାବେଳେ ତୃଣମୂଳ କଂଗ୍ରେସ କର୍ମୀମାନେ ତାଙ୍କ କାର ଉପରକୁ ଇଟାପଥର ମାଡ଼ କରିଥିଲେ । କେତେକ ଲୋକ ଲାଠି ଓ ଲୁହାଛଡ଼ ମାଧ୍ୟମରେ ମଧ୍ୟ ଆକ୍ରମଣ କରିଥିଲେ । ନଡ୍ଡା କହିଛନ୍ତି ଯେ ତାଙ୍କ କାର ବୁଲେଟପ୍ରୁଫ ଥିବାରୁ ସେ ବର୍ତ୍ତିଗଲେ, ମାତ୍ର କୈଳାଶ ବିଜୟବର୍ଗୀୟ ଓ ମୁକୁଲ ରାୟ ପରି ନେତାମାନେ ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ମମତା ବାନାର୍ଜୀ କହିଛନ୍ତି ଯେ ଏହି ଆକ୍ରମଣ ବିଜେପିର ଏକ ଡ୍ରାମା । ପୂର୍ବରୁ ଦିଲ୍ଲୀରେ ମଧ୍ୟ ଏପରି ଡ୍ରାମା କରାଯାଇଥିଲା ।  ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ  ବିଜେପି ଏପରି ଡ୍ରାମା କରୁଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଡାଇମଣ୍ଡ ହାର୍ବର ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନିର୍ବାଚନ ମଣ୍ଡଳୀ ।

 

ସମ୍ବନ୍ଧିତ ଖବର