ବିଜାପୁର: ଛତିଶଗଡ଼ ବିଜାପୁର-ସୁକମା ସୀମାନ୍ତରେ ନକ୍ସଲ୍ମାନଙ୍କ ଅତର୍କିତ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯବାନଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ସହିଦ ଯବାନଙ୍କ ବଳିଦାନ ବୃଥା ଯିବନାହିଁ ବୋଲି କହିଛନ୍ତି ଅମିତ ଶାହା।
ବିଜାପୁରରେ ସିଆରପିଏଫ ଯବାନମାନଙ୍କୁ ସମ୍ବୋଧିତ କରି ଶାହା କହିଛନ୍ତି ଯେ, ଆମର ଯବାନମାନେ ଅହେତୁକ ସାହସ ସହିତ ଯୁଦ୍ଧ କଲେ। ଆପଣଙ୍କ ସହକର୍ମୀଙ୍କ ବଳିଦାନ ବୃଥା ଯିବ ନାହିଁ, ଏନେଇ ନିଶ୍ଚିତ ରୁହନ୍ତୁ। ଭାରତ ସରକାର ଏବଂ ଛତିଶଗଡ ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଯେତେବେଳେ ଜଣେ ବନ୍ଧୁ ଆମକୁ ଛାଡି ଚାଲିଯାଏ, ଆମେ ଦୁଃଖିତ ହୋଇଯାଉ। କିନ୍ତୁ ନକ୍ସଲ ସମସ୍ୟା ହେତୁ ଏହି ଅଞ୍ଚଳର ଗରିବ ଲୋକ ବିକାଶରୁ ବଞ୍ଚିତ। ତେଣୁ ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ଏବଂ ଆମ ପାଖକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ କରୁଛୁ। କିନ୍ତୁ ଯଦି ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଥିବ ତେବେ ଆମ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ ବୋଲି ମାଓବାଦୀଙ୍କୁ ଚେତାଇ ଦେଇଛନ୍ତି ଅମିତ ଶାହା।
/sambad/media/post_attachments/wp-content/uploads/2021/04/ସ-28.jpg)
ଏହା ସହ ଶାହା କହିଛନ୍ତି ଯେ, ଭାରତ ସରକାର ତୁମର ସମସ୍ତ ସମସ୍ୟା ବୁଝନ୍ତି ଏବଂ ଏହି ଲଢ଼େଇରେ ତୁମ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ଆମେ ଯଥାସମ୍ଭବ ମାଓବାଦୀଙ୍କ ସମସ୍ତ ଦୁର୍ବଳତାକୁ ଖୋଜି ବାହାର କରିବୁ।