ଫଟୋରୁ ସବୁ ପ୍ରଘଟ ହୋଇ ଯାଇଥିଲା

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂସଦରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ କାଗଜପତ୍ରକୁ ଧରି ସଂସଦ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଫଟୋ ସାମ୍ବାଦିକମାନେ ତାଙ୍କର ଫଟୋ ଉଠାଇଥିଲେ। ଏହି ଫଟୋରୁ ଗୃହମନ୍ତ୍ରୀଙ୍କ ଆଜିର ଏଜେଣ୍ଡା ସମ୍ପର୍କରେ ସବୁକିଛି ଆଗୁଆ ଜଣା ପଡ଼ିଯାଇଥିଲା। ସେହି ଦସ୍ତାବିଜ୍‌ ଉପରେ ଅତ୍ୟନ୍ତ ଗୋପନୀୟ ବା ଟପ୍ ସିକ୍ରେଟ୍ ଲେଖାଯାଇଥିଲା। ଏହି କାଗଜରେ କ୍ରମିକ ସଂଖ୍ୟାକୁ ବାଦ୍ ଦେଲେ ମୁଖ୍ୟତଃ ତିନୋଟି ସ୍ତମ୍ଭ ଥିଲା। ପ୍ରଥମ ସ୍ତମ୍ଭରେ ସାମ୍ବିଧାନିକ, ରାଜନୈତିକ ଏବଂ ଆଇନ ଶୃଙ୍ଖଳା ଶୀର୍ଷକରେ କେତେକ ବିଷୟ ଉଲ୍ଲେଖ କରାଯାଇଥିଲା। ଦ୍ବିତୀୟ ସ୍ତମ୍ଭରେ ଏସବୁ ବିଷୟବସ୍ତୁ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ତୃତୀୟ ସ୍ତମ୍ଭରେ ମନ୍ତବ୍ୟ ଉଲ୍ଲେଖ ରହିଥିଲା।

ସେହି ବିଷୟବସ୍ତୁ ଗୁଡ଼ିକ ଏହିଭଳି ଲେଖାଯାଇଥିଲା ଯଥା ରାଷ୍ଟ୍ରପତିଙ୍କୁ ସୂଚନା ଦିଆଯାଇଛି କି ନାହିଁ, ଉପରାଷ୍ଟ୍ରପତିଙ୍କୁ ସୂଚନା ଦିଆଯାଇଛି କି ନାହିଁ, କ୍ୟାବିନେଟ୍ ବୈଠକ ‌ହୋଇଛି କି ନାହିଁ, ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ଜାରି ହୋଇଛି କି ନାହିଁ, ରାଜ୍ୟସଭାରେ ବିଲ୍ ଗୃହୀତ ହୋଇଛି କି ନାହିଁ। କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସ୍ତମ୍ଭ ଗୁଡ଼ିକରେ ପ୍ରଥମ ଓ ଦ୍ବିତୀୟ ବିଷୟ ଯଥା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ସୂଚନା ପ୍ରଧାନମନ୍ତ୍ରୀ ଦେଇଥିବା ଉଲ୍ଲେଖ ରହିଥିଲା। ସେହିଭଳି ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ସିଧାରେ ଦ୍ବିତୀୟ ସ୍ତମ୍ଭରେ ଗୃହ ସଚିବ ଲେଖାଯାଇଥିଲା। ମନ୍ତବ୍ୟ ସ୍ତମ୍ଭରେ ପ୍ରଥମ ଦୁଇଟି ବିଷୟ କରାଯାଇଛି ବୋଲି ଉଲ୍ଲେଖ ଥିବାବେଳେ ତାହା ତଳ ୩ଟି ବିଷୟ ସିଧାରେ ୫ ଅଗଷ୍ଟ ଲେଖାଯାଇଥିଲା। ଜଣେ ଫଟୋ ସାମ୍ବାଦିକଙ୍କ ଦ୍ବାରା ଉଠାଯାଇଥିବା ଏହି ଫଟୋଟି ତତ୍‌କ୍ଷଣାତ୍‌ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଥିଲା। ଏହାପରେ ଶାହ ଲୋକସଭାରେ ପ୍ରବେଶ କରି ଧାରା ୩୭୦ ଉଚ୍ଛେଦ ବିଷୟରେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର