ମିଶିଯିବ କି ଭଙ୍ଗାମନ ! ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେଡି ମୁଖିଆ ନବୀନଙ୍କ ଶାସନକୁ ପ୍ରଶଂସା କଲେ

ନୂଆଦିଲ୍ଲୀ: ନିବିଡ଼ ହେଉଛି କି ବିଜେପି-ବିଜେଡି ସମ୍ପର୍କ ? ଯୋଡି ହେଉଛି କି ୨୦୦୯ରେ ଭାଙ୍ଗିଯାଇଥିବା ସମ୍ପର୍କର ଡୋରି ? କିଛି ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଆଲୋଚନା ଚାଲିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଜି ଦିଲ୍ଲୀରେ ଅମିତ ଶାହା ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କ ଶାସନକୁ ପ୍ରଶଂସା କରିବା ସହ କହିଥିଲେ ଯେ ନବୀନ ବାବୁଙ୍କ ଶାସନରେ ତ ହିଂସାକାଣ୍ଡ ହେଉନି।  ଏହାକୁ ନେଇ ପୁଣି ଥରେ ଶଙ୍ଖ-ପଦ୍ମ ଯୋଡି ଦେଖିବାକୁ ମିଳିବ କି ବୋଲି ରାଜନୀତି ଗୁଞ୍ଜରଣ ସୃଷ୍ଟି ହେଲାଣି।
ଫନି ବାତ୍ୟା ପରେ କେନ୍ଦ୍ରର ସହଯୋଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ । ମୋଦି ବି ନବୀନଙ୍କୁ ଫନିର ମୁକାବିଲା ସଠିକ ଭାବେ କରିଥିବାର ଦର୍ଶାଇ ପ୍ରଶଂସାରେ ପୋତି ପକାଇଥିଲେ । ଏହାପରେ ୧୦୦୦ କୋଟିର ସହାୟତା ହେଉ ବା କେନ୍ଦ୍ରୀୟ ଟିମକୁ ପଠାଇ ସମୀକ୍ଷା କରାଇବା ହେଉ ଏଭଳି ତ୍ବରିତ ପଦକ୍ଷେପ ପୂର୍ବରୁ  ଦେଖିବାକୁ ମିଳିନଥିଲା।  ବିଶେଷ କରି ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ସମୟରେ ନବୀନ ସରକାରଙ୍କୁ ଉଖାଡ଼ି ଫୋଫାଡ଼ି ଦେବାକୁ ଖୋଦ ଶାହା ହିଁ କହିଥିଲେ । ଆଉ ନବୀନ ବି କେନ୍ଦ୍ରୀୟ ଅବହେଳାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲେ । ତେବେ ଆଗକୁ ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ବିଗିଡିଯାଇଥିବା ଖଟା ସମ୍ପର୍କରେ ମିଠା ଛିଟାକୁ ନେଇ ରାଜନୈତିକ ବିଶେଷଜ୍ଞ ଅଙ୍କ କଷିବା ଆରମ୍ଭ କରିଦେଲେଣି।
ସମ୍ବନ୍ଧିତ ଖବର