ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ଚିଠିର ଜବାବ ଦେଇ ଆମ୍ ଆଦମୀ ପାର୍ଟି ଓ ପ୍ରତିବନ୍ଧିତ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଯାଞ୍ଚ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଏହି ଦାବି କରିଥିଲେ।

Advertisment

ଚନ୍ନି ଟ୍ଵିଟରରେ ଲେଖିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଅନୁରୋଧ କରୁଛି ଯେ ନିକଟରେ କୁମାର ବିଶ୍ଵାସ ଯାହା କହିଛନ୍ତି ଏହି ମାମଲାର ନିରପେକ୍ଷ ଯାଞ୍ଚ କରେଇବା ଉଚିତ। ରାଜନୀତି ଗୋଟିଏ ପଟେ, ପଞ୍ଜାବର ଲୋକମାନେ ବିଛିନ୍ନତାବାଦୀଙ୍କ ସହ ଲଢେଇ କରି ଅନେକ ମୂଲ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସବୁ ପଞ୍ଜାବୀଙ୍କର ଚିନ୍ତା ଦୂରକରିବାର ଆବଶ୍ୟକତା ଅଛି।

publive-image Image Courtesy of Zee News

ଏହାର ଜବାବରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ଉତ୍ତର ଲେଖିଛନ୍ତି। ସେ ଲେଖିଛନ୍ତି,  ଗୋଟିଏ ରାଜନୈତିକ ଦଳର ଦେଶ ବିରୋଧୀ, ବିଛିନ୍ନତାବାଦୀ ଓ ପ୍ରତିବନ୍ଧିତ ସଂସ୍ଥା ସହ ସମ୍ବନ୍ଧ ରଖିବା ଓ ନିର୍ବାଚନରେ ସାହାଯ୍ୟ ଗ୍ରହଣ କରିବା ଦେଶର ଅଖଣ୍ଡତା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗମ୍ଭୀର। ଏପରି ଲୋକଙ୍କ କାର୍ଯ୍ୟକଳାପ ଦେଶର ଶତ୍ରୁଙ୍କ କାର୍ଯ୍ୟକଳାପଠାରୁ ଅଲଗା ନୁହେଁ। ଏହା ଅତ୍ୟନ୍ତ ନିନ୍ଦନୀୟ ଯେ ଭୋଟ ପାଇବା ପାଇଁ ଏପରି ଲୋକ ବିଛିନ୍ନତାବାଦୀଙ୍କ ସହ ହାତ ମିଳେଇବା ଠାରୁ ଆରମ୍ଭ କରି ପଞ୍ଜାବ ଓ ଦେଶକୁ ବିଭାଜିତ କରିବା ପର୍ଯ୍ୟନ୍ତ ସୀମାକୁ ଯାଇପାରନ୍ତି। ଏହି ବିଷୟରେ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଦେଶର ଏକତା ଓ ଅଖଣ୍ଡତା ସହିତ ଖେଳିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ। ଭାରତ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି।

ଆମ୍ ଆଦମୀ ପାର୍ଟର ପୂର୍ବତନ ନେତା କୁମାର ବିଶ୍ଵାସ କିଛିଦିନ ପୂର୍ବରୁ ପ୍ରକାଶ କରିଥିଲେ, ଥରେ ଅରବିନ୍ଦ କେଜ୍ରିଓ୍ଵାଲ୍ ତାଙ୍କୁ କହିଥିଲେ ଯେ ସେ ଦିନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କିମ୍ଵା ସ୍ଵତନ୍ତ୍ର ରାଷ୍ଟ୍ର(ଖଲିସ୍ତାନ)ର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଶୁକ୍ରବାର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସବୁ ଭ୍ରଷ୍ଟାଚାରୀ ଆମ୍ ଆଦମୀ ପାର୍ଟିକୁ ହରାଇବା ପାଇଁ ଓ ଭଗଓ୍ଵନ୍ତଙ୍କୁ ମୁଖ୍ୟମନ୍ତ୍ରୀ ହେବାରୁ ରୋକିବା ପାଇଁ ଏକାଠି ହୋଇଛନ୍ତି। ସେ ପୁଣି କହିଥିଲେ, ଜଣେ କବି ଦିନେ ହଠାତ୍ କବିତା ଶୁଣାଇଲା, ଏହାପରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ତା ଉପରକୁ ଗଲା ଓ ମୋତେ ଆତଙ୍କବାଦୀ କୁହାଗଲା। କ’ଣ ବିକାଶର କଥା କହୁଥିବା ଆତଙ୍କବାଦୀ ଆପଣମାନେ କେବେ ଦେଖିଛନ୍ତି କି?  ଯଦି ମୁଁ ଆତଙ୍କବାଦୀ ତେବେ ଦୁନିଆର ସବୁଠୁ ମିଠା ଆତଙ୍କବାଦୀ ମୁଁ ହେବି ବୋଲି କେଜ୍ରିଓ୍ଵାଲ୍ କହିଥିଲେ।