ଓଡ଼ିଶା ପାଇଁ ନୂଆଦିଲ୍ଲୀରେ ତନାଘନା: ବାତ୍ୟା ସମୀକ୍ଷା କଲେ ଅମିତ ଶାହା

ତିନି କେନ୍ଦ୍ରମନ୍ତ୍ରୀଙ୍କ ମିଳିତ ବୈଠକ

ନୂଆଦିଲ୍ଲୀ : ବାତ୍ୟା ‘ୟାସ୍‌’ର ମୁକାବିଲା ସଂପର୍କରେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା, ଆନ୍ଧ୍ର ଓ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଆଣ୍ଡାମାନ ଓ ନିକୋବର ଉପରାଜ୍ୟପାଳଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି। ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ମୁକାବିଲା ପରିସ୍ଥିତିର ସେ ସମୀକ୍ଷା କରିଥିଲେ।

ଶ୍ରୀ ଶାହ। କହିଥିଲେ ଯେ ରାଜ୍ୟ ସରକାରମାନେ ଅକ୍ସିଜେନ୍, ଉତ୍ପାଦନକାରୀ ପ୍ଲାଣ୍ଟ ଗୁଡିକର ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ। ଉପକୂଳରୁ ମତ୍ସ୍ୟଜୀବୀ ମାନଙ୍କୁ ଫେରାଇଆଣିବା ତଥା ତଳୁଆ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ଲୋକମାନଙ୍କୁ ଠିକ୍ ସମୟରେ ସୁରକ୍ଷିତ ସ୍ଥାନକୁ ଅଣାଯିବାକୁ ସୁନିଶ୍ଚିତ କରିବାକୁ ହେବ। ବିଦ୍ୟୁତ୍ ଓ ଟେଲି ଯୋଗାଯୋଗର ସେବା ଠିକ୍ ସମୟରେ ପୂର୍ବାବସ୍ଥାକୁ ଅଣାଯିବା ଦରକାର। ପରିବହନ ବ୍ୟାହତ ଆଶଙ୍କା ଥିବାରୁ ପର୍ଯ୍ୟାପ୍ତ ମାତ୍ରାରେ ଆବଶ୍ୟକ ଔଷଧର ଷ୍ଟକ୍ ଗୁଡିକ ସୁନିଶ୍ଚିତ କରିବା ପାଇଁ ସେ କହିଥିଲେ।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ ସ୍ଥାନୀୟ ଭାଷାରେ ଆଗୁଆ ସୂଚନା ପ୍ରଦାନ କରିବା ତଥା ପଞ୍ଚାୟତ ଜରିଆରେ ସଚେତନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଉପଦେଶ ଦେଇଥିଲେ। ବୈଠକରେ ଓଡିଶା ଭଳି ହୋମଗାର୍ଡ, ଏନ୍‌ସିସି ତଥା ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲଗାଇବା ପାଇଁ ସେ କହିଥିଲେ।

ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ଜଣାଇବା ସହିତ କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ। ବାତ୍ୟାର ମୁକାବିଲା ପାଇଁ ଯଥା ସମ୍ଭବ ପଦକ୍ଷେପ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କ୍ୟାବିନେଟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ତିନି କେନ୍ଦ୍ରମନ୍ତ୍ରୀଙ୍କ ମିଳିତ ବୈଠକ
ଭୁବନେଶ୍ୱର : ବାତ୍ୟା ‘ୟାସ୍‌’ ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ସୋମବାର ତିନି କେନ୍ଦ୍ର ମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ହୋଇଥିଲା। ଓଡ଼ିଶାରେ ‘ୟାସ୍‌’ ବାତ୍ୟାର ମୁକାବିଲା ପାଇଁ ଭାରତ ସରକାରଙ୍କ ସବୁ ବିଭାଗ ସତର୍କ ଓ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହା ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଶ୍ରୀ ପ୍ରଧାନ ଆ‌ଲୋଚନା କରି ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ବାତ୍ୟା ଦ୍ୱାରା ଉତ୍ପନ୍ନ ହେବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ତୈଳ, ଗ୍ୟାସ ଏବଂ ଇସ୍ପାତ୍ ଶିଳ୍ପ ପ୍ରସ୍ତୁତ ଅଛି। ପେଟ୍ରୋଲିୟମ ଉତ୍ପାଦ, ଅତ୍ୟାବଶ୍ୟକ ସାମଗ୍ରୀ, କୋଭିଡ-୧୯ ପରିଚାଳନା ପାଇଁ ମେଡିକାଲ ଅକ୍ସିଜେନ୍‌ର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ପ୍ରସ୍ତୁତ ଅଛନ୍ତି। ମେଡିକାଲ ଅକ୍ସିଜେନ୍‌ର ଯୋଗାଣରେ କୌଣସି ସମସ୍ୟା ରହିବ ନାହିଁ। ଆସନ୍ତା ୨/୩ ଦିନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପସ୍ୱରୂପ ପୂର୍ବତଟରେ ଥିବା ସମସ୍ତ ବଡ଼ ଶିଳ୍ପାନୁଷ୍ଠାନ ତଥା ଭାରତ ସରକାରଙ୍କ ତୈଳ ଓ ଗ୍ୟାସ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟରେ ଥିବା ଶିଳ୍ପସଂସ୍ଥାରୁ ସ୍ୱଳ୍ପ ମାନବସମ୍ବଳରେ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସମୁଦ୍ରରେ ଥିବା ସମସ୍ତ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର