ଅମିତ ଶାହଙ୍କ ରୋଡ୍ ‌ସୋ’ ବେଳେ ହିଂସା

କଲିକାତା: କଲିକତାରେ ବିଜେପି ସଭାପତିି ଅମିତ ଶାହଙ୍କ ରୋଡ ‌ସୋ’ ବେଳେ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି। ଅମିତ ଶାହ ଆଜି ସନ୍ଧ୍ୟାରେ ଏକ ବିଶାଳ ରାଲିରେ ଯାଉଥିବା ବେଳେ କଲିକତା ବିଶ୍ବବିଦ୍ୟାଳୟ ଏବଂ ବିଦ୍ୟାସାଗର କଲେଜ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିରୋଧୀଙ୍କ ସହିତ ବିଜେପି ଓ ଏବିଭିପି କର୍ମୀ ମୁହାଁମୁହିଁ ହୋଇଥିଲେ। ବିଜେପି ସମର୍ଥକମା‌େନ କଲିକତା ବିଶ୍ବବିଦ୍ୟାଳୟ ଏବଂ ବିଦ୍ୟାସାଗର କଲେଜ କ୍ୟାମ୍ପସ ଉପରେ ଆକ୍ରମଣ କରିଥିଲେ। ସେମାନେ ତିନିଟି ମୋଟର ସାଇକଲରେ ନିଆଁ ଲଗାଇ ଦେଇଥିବା ବେଳେ ବିଦ୍ୟାସ‌ାଗରଙ୍କ ପ୍ରତିମୂର୍ତିକୁ ଦୁର୍ବୃତମାନେ ଭଙ୍ଗାରୁଜା କରିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ରାଲି କଲିକତା ବିଶ୍ବବିଦ୍ୟାଳୟ ସମ୍ମୁଖ ରାସ୍ତା ଦେଇ ପାର ହେଉଥିବା ବେଳେ ସେଠାରେ ସମବେତ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ କେତେକ ଛାତ୍ର କଳା ପତାକା ଦେଖାଇବା ସହିତ ଅମିତ ଶାହ ଫେରିଯାଅ ବୋଲି ସ୍ଲୋଗାନ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିଜେପି ସମର୍ଥକମାନେ ସେମାନଙ୍କୁ ଘଉଡ଼ାଇବା ସହିତ ବିଶ୍ବବିଦ୍ୟାଳୟ ଭିତରକୁ ଟେକାପଥର ଓ ବୋତଲ ମାଡ଼ କରିଥିଲେ। ଏହାର କିଛି ଦୂରରେ ଥିବା ବିଦ୍ୟାସାଗର କଲେଜ ସମ୍ମୁଖରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅମିତ ଶାହଙ୍କ ରାଲି ଉପରକୁ ଟିଏମସି ଛାତ୍ରମାନେ ଟେକାମାଡ଼ କରିବାରୁ ବିଜେପି ସମର୍ଥକମାନେ ମଧ୍ୟ ସେମାନଙ୍କର ପିଛା କରିଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଜେପି ସମର୍ଥକମାନେ କଲେଜ ପରିସରରେ ପଶି ଭଙ୍ଗାରୁଜା କରିଥିଲେ। ସେମାନେ କଲେଜର ମୁଖ୍ୟ ଫାଟକ ଭାଙ୍ଗିବାକୁ ଉଦ୍ୟମ କରିବା ସହିତ ତିନିଟି ମୋଟର ସାଇକଲରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଲାଠିଚାର୍ଜ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର