କୋଲକାତା: ଦିଦିଙ୍କ ଗଡ଼ରୁ ଗର୍ଜିଲେ ଶାହ । ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମମତା ସରକାର ଉପରେ ଜୋରଦାର ବର୍ଷିଛନ୍ତି । ଆଉ ଏଥର ୨୦୨୬ରେ ପଶ୍ଚିମବଙ୍ଗରୁ ମମତା ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ବିଜେପିର କର୍ମକର୍ତ୍ତାକୁ ଆହ୍ବାନ ଦେଇଛନ୍ତି । ଯଦି ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବାକୁ ଚାହୁଁଛ, ଯଦି ପଶ୍ଚିମବଙ୍ଗରେ ଦୁର୍ନୀତି ବନ୍ଦ କରିବାକୁ ଚାହୁଁଛ ଏବଂ ଯଦି ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛ ତେବେ ପଶ୍ଚିମବଙ୍ଗରେ ଟିଏମସିର ସରକାର ହଟେଇ ବିଜେପିର ସରକାରକୁ ଆଣିବାକୁ ପଡ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ଶାହ ।

Advertisment

ଦିଦିଙ୍କୁ ସିଧା ନିଶାନା କରି ଶାହ କହିଛନ୍ତି- ମାଆ ମାଟି ମାନୁଷର ନାରା ଦେଇ ମମତା ସରକାରକୁ ଆସିଥିଲେ ହେଲେ ଏବେ ସେହି ମହାନ ମାଟିରେ ହିଂସା, ହତ୍ୟା, ଗୁଣ୍ଡଗର୍ଦ୍ଦି, ବୋମାମାଡ଼ ହେଉଛି । ମାଆ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଅନୁପ୍ରବେଶକାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି… ଏହି ମାଟିରେ ଶତାଧିକ ବିଜେପି କର୍ମୀଙ୍କ ହତ୍ୟା ହୋଇଛି ।

ତେଣୁ ମନେରଖ ଦିଦି ତମ ସମୟ ସରିଆସିଲାଣି, ୨୦୨୬ରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଢୁଛି । ଆଉ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ହତ୍ୟାକାରୀଙ୍କୁ ମାଟିରେ ପୋତା ହୋଇଥିଲେ ବି ବାହାରକରି ଦଣ୍ଡ ଦିଆଯିବ… ଏହା ମୋର ପ୍ରତିଶ୍ରୁତି ବୋଲି ଶାହା କହିଛନ୍ତି ।

ତେବେ ହିଂସାର ପଥ ଆପଣାଉଥିବା ଟିଏମସିକୁ ଚେତାବନୀ ଦେବା ସହ ମମତାଙ୍କୁ ଚାଲେଞ୍ଜ ଦେଇଛନ୍ତି ଶାହ । ଦିଦି ଯଦି ସାହସ ଅଛି ନିର୍ବାଚନ ଲଢି ଦେଖ । ପହଲଗାମ୍ ଆତଙ୍କୀ ହମଲା ପରେ ଅପରେସନ ସିନ୍ଦୂର ହେଲା । ଆତଙ୍କୀଙ୍କ ଆଡ୍ଡା ଧ୍ବଂସ କରାଗଲା ହେଲେ ସେଘଟଣା ଦିଦିଙ୍କୁ ବାଧିଲା । ମୁଁ ବେଙ୍ଗଲର ମାତୃଶକ୍ତିଙ୍କୁ ଅନୁରୋଧ କରିଛି ଆଗାମୀ ନିର୍ବାଚନରେ ସିନ୍ଦୂରର ଶକ୍ତି ମମତାଙ୍କୁ ବୁଝାଇ ଦିଅନ୍ତୁ… ଦିଦି ଜାଣନ୍ତୁ ସିନ୍ଦୂରର ଅପମାନ କରିବା କେତେ ଭୟଙ୍କର ହୁଏ ବୋଲି ।