କଶ୍ମୀରର ସଠିକ୍‌ ଇତିହାସ ଲେଖିବା ସମୟ ଆସିଯାଇଛି: ଅମିତ ଶାହ

ନେହରୁ ମାମଲାକୁ ଜାତିସଂଘ ନେବା ହିମାଳୟଠାରୁ ବି ବଡ଼ ଭୁଲ୍‌

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଧାରା ୩୭୦ ଶେଷ କରିବା ସଂକ୍ରାନ୍ତ ନିଷ୍ପତ୍ତି ନେଇ ଆଜି କହିଛନ୍ତି ଯେ କଶ୍ମୀରର ଇତିହାସକୁ ଅତି ବିକୃତ କରି ଦେଶବାସୀଙ୍କ ସମ୍ମୁଖରେ କଂଗ୍ରେସ ସରକାର ରଖିଥିଲା ଏବଂ ଏବେ ସଠିକ୍‌ ଇତିହାସ ଲେଖିବା ସମୟ ଆସିଯାଇଛି। କଶ୍ମୀର ମାମଲାକୁ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରରାଲ ନେହରୁ ଜାତିସଂଘକୁ ନେଇଯିବା ହିମାଳୟଠାରୁ ବି ବଡ଼ ଭୁଲ୍‌ ଥିଲା ବୋଲି ଶାହ କହିଛନ୍ତି ।ଏହି ଭୁଲ୍‌କୁ ସୁଧାରିବା ପାଇଁ ବିଜେପି ଏବଂ ଏହାର ସହଯୋଗୀ ଦଳମାନେ ସଂକଳ୍ପବଦ୍ଧ। ଧାରା ୩୭୦କୁ ବିଜେପି ଆରମ୍ଭରୁ ହିଁ ବିରୋଧ କରିଆସିଛି ଏବଂ ଏହା ଆମ ଦଳର ନୀତି ବୋଲି ଶାହ କହିଛନ୍ତି।

ଗୃହମନ୍ତ୍ରୀ ଆଜି ପୂର୍ବ ସରକାରୀ ଅଧିକାରୀଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଧାରା ୩୭୦କୁ ହଟାଯିବା ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ବିଜେପି ଗଠନ ହେବା ଦିନଠାରୁ ଏକ ଦେଶ-ଏକ ସମ୍ବିଧାନ କଥା କହିଆସୁଛି। ଧାରା ୩୭୦ ହଟିବା ପରେ କଶ୍ମୀରରେ ଲଗାଯାଇଥିବା କଟକଣା ଏବେ ଅଧିକାଂଶ ଅଂଚଳରୁ ହଟିଯାଇଛି। କଟକଣା ଏବେ ମାତ୍ର କେତେକ ଥାନା ଅଂଚଳରେ ସୀମିତ ରହିଛି ଏବଂ କେଉଁଠି ବି ଭୟର ବାତାବରଣ ନାହିଁ। ଆତଙ୍କବାଦୀଙ୍କ ଦ୍ବାରା ହିଂସାକୁ ରୋକିବା ପାଇଁ ସେନା ସର୍ବତ୍ର ସଜାଗ ରହିଛି। କୌଣସି ସ୍ଥାନରେ କଶ୍ମୀରୀବାସୀଙ୍କ ଉପରେ ଗୋଟିଏ ବି ଗୁଳି ଚାଲିନାହିଁ ବୋଲି ଶାହ କହିଛନ୍ତି। ଆମେ ଯାହା କହୁ ତାହାକୁ କାମରେ କରି ଦେଖାଉ। ଧାରା ୩୭୦ ହଟିବା ପୂର୍ବରୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୧୧ ଥର ଆନ୍ଦୋଳନ ହୋଇଛି। ବିଜେପି ଏବଂ ସହଯୋଗୀ ସଂଗଠନମାନେ ଏଥିପାଇଁ ବ୍ୟାପକ ଜନ ସମର୍ଥନ ହାସଲ କରିଥିଲେ। ଯେଉଁ ରାଜନୈତିକ ଦଳମାନେ ଏବେ ଏହାକୁ ବିରୋଧ କରୁଛନ୍ତି ତାହା ପଛରେ ସେମାନଙ୍କର କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି। ପୂର୍ବରୁ କଂଗ୍ରେସର ଭୁଲ୍‌ ଯୋଗୁଁ କଶ୍ମୀରର କିଛି ଅଂଶକୁ ପାକିସ୍ତାନ ନିଜ କବ୍‌ଜାରେ ରଖିଛି। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଯିବା ନେହରୁଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ଏହା ହିମାଳୟଠାରୁ ମଧ୍ୟ ବଡ଼ ଭୁଲ୍‌ ଥିଲା ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର