ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟା ପଂଜିକା (ଏନ୍‌ପିଆର୍‌) ଏବଂ ଜାତୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି) ମଧ୍ୟରେ କୌଣସି ସଂପର୍କ ନାହିଁ। କେନ୍ଦ୍ର ସରକାର ଏ ବାବଦରେ ସମସ୍ତ ବିଭ୍ରାନ୍ତି ଏବଂ ଆଶଙ୍କା ଦୂର କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ମଧ୍ୟରେ ଆଦୌ ସଂପର୍କ ନାହିଁ ଏବଂ ଉଭୟ ସଂପୂର୍ଣ୍ଣ ଭିନ୍ନ ପ୍ରକ୍ରିୟା। ଏନ୍‌ଆରସି ନେଇ ସଂସଦରେ ମଧ୍ୟ କୌଣସି ଆଲୋଚନା ହୋଇନାହିଁ ବୋଲି ପ୍ରଧାନମନ୍ତ୍ରୀ ନିକଟରେ ଏକ ରୢାଲିରେ ଯେଉଁ ତଥ୍ୟ ରଖିଥିଲେ ତାହା ସଂପୂର୍ଣ୍ଣ ଠିକ୍‌ ଏବଂ ଏନ୍‌ଆର୍‌ସି ଯୋଜନା ଏବେ ନାହିଁ ବୋଲି ଶାହ କହିଛନ୍ତି। ଏନ୍‌ପିଆର ହେଉଛି ଜନସଂଖ୍ୟା ରେଜିଷ୍ଟର। ଏହାର ଆଧାରରେ ବିଭିନ୍ନ ଯୋଜନା ରୂପରେଖ ନେଇଥାଏ। ଅନ୍ୟପକ୍ଷରେ ଏନ୍‌ଆର୍‌ସିରେ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରମାଣପତ୍ର ମାଗଯାଇଥାଏ, ଯାହାକି ଜଣେ ବ୍ୟକ୍ତିକୁ ଭାରତୀୟ ନାଗରିକ ଭାବେ ପରିଚୟ ଦେଇଥା‌ଏ। ଉଭୟ ‌କ୍ଷେତ୍ରରେ ମିଳିଥିବା ତଥ୍ୟ ସଂପୂର୍ଣ୍ଣ ଅଲଗା ଏବଂ ଏହାକୁ ନେଇ କୌଣସି ସଂପର୍କ ଯୋଡ଼ିବା ବିଭ୍ରାନ୍ତିକର ବୋଲି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।