ନୂଆଦିଲ୍ଲୀ: ଦିଲ୍ଲୀର ଚାବଡ଼ି ବଜାରରେ ଥିବା ଏକ ମନ୍ଦିରରେ ଭଙ୍ଗାରୁଜା ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କ୍ଷୁବ୍ଧ ହୋଇଛନ୍ତି | ସେ ଦିଲ୍ଲୀ ପୁଲିସ କମିଶନର ଅମୁଲ୍ୟ ପଟ୍ଟନାୟକଙ୍କୁ ସମନ ଜାରି କରିଛନ୍ତି | ଶାହା କମିଶନରଙ୍କ ସହ ଦିଲ୍ଲୀରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ ବାବଦରେ ଆଲୋଚନା କରିଛନ୍ତି | ଏଠାରେ ସୂଚନା ଥାଉ କି ଜୁନ ୩୦ ତାରିଖରେ ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ମନ୍ଦିର ଆଗରେ ବାଇକ୍ ପାର୍କିଙ୍ଗକୁ ନେଇ ଦୁଇ ସଂପ୍ରଦାୟ ଭିତରେ ପାଟିତୁଣ୍ଡ ହୋଇଥିଲା ।
ପାଟିତୁଣ୍ଡ ଏତେ ଉଗ୍ର ହୋଇଥିଲା ଯେ ଚାହୁଁ ଚାହୁଁ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ତର୍କ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଗତ ରବିବାର ରାତି ୧୦ଟା ସମୟରେ ଏକ ଗୋଷ୍ଠୀ ମନ୍ଦିର ଆଗରେ ଜମା ହୋଇ ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଚାନ୍ଦନିଚୌକ ଅଞ୍ଚଳରେ ଥିବା ୧୦୦ ବର୍ଷ ତଳର ଏହି ଦୁର୍ଗା ମନ୍ଦିରକୁ ସଂପୂର୍ଣ୍ଣ ରୁପେ ଭାଙ୍ଗି ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋମବାର ସକାଳ ଏ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା ।
ପରେ ପୁଲିସ ପହଂଚି ପରିସ୍ଥିତିକୁ ଶାନ୍ତ କରିଥିଲା | ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଦୁଇ ପକ୍ଷଙ୍କ ସହ ଆଲୋଚନା କରିଥିଲା | ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ | କାହିଁକି ଏଭଳି ଘଟଣା ଘଟିଲା ବୋଲି ପ୍ରଶ୍ନ କରିବା ସହ କ’ଣ ପଦକ୍ଷେପ ନିଆଯାଇଛି ବୋଲି କମିଶନରଙ୍କୁ ପ୍ରଶ୍ନ କରିଥିଲେ |