ବିହାର ପରେ ଏବେ ମିଶନ ପଶ୍ଚିମବଙ୍ଗ ପାଇଁ ଅଣ୍ଟା ଭିଡ଼ିଲେ ଶାହା!

କୋଲକାତା: ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଆଉ ଭାରତୀୟ ଜନତା ପାର୍ଟି, ମମତା ବାନାର୍ଜୀ ସରକାରକୁ ହଟାଇବାକୁ ଚେଷ୍ଟା ଆରମ୍ଭ କରିଛି । ତୃଣମୂଳ କଂଗ୍ରେସ ସରକାରକୁ ହଟାଇବା ପାଇଁ ବିହାର ନିର୍ବାଚନ ଚାଲିଥିବା ସମୟରେ ମଧ୍ୟ ପଶ୍ଚିମବଙ୍ଗ ଉପରେ ବିଜେପିର ଧ୍ୟାନ କେନ୍ଦ୍ରିତ ହୋଇଛି। ସେଥିପାଇଁ ଗୃହ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଗୁରୁବାର ଦିନ ପଶ୍ଚିମବଙ୍ଗରେ ପହଞ୍ଚି ଦୁଇ ଦିନ ରହି ଦଳର ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ | କୁହାଯାଉଛି ଯେ ଅମିତ ଶାହା ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ବିଜେପି ନେତାଙ୍କ ସହ ଦଳର ରଣନୀତି ବିଷୟରେ ଆଲୋଚନା କରିବେ।

ସୂଚନା ମୁତାବକ ବିଜେପି ରାଷ୍ଟ୍ରୀୟ ସଚିବ ପଦରୁ ରାହୁଲ ସିହ୍ନାଙ୍କୁ ହଟାଇବା ପରେ ରାଜ୍ୟ ବିଜେପିର ଏକ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଉ ଅମିତ ଶାହା ସମସ୍ତଙ୍କ ସହ କଥାବାର୍ତ୍ତା କରି ମତଭେଦ ସମାଧାନ କରିବେ | ପଶ୍ଚିମବଙ୍ଗରେ ବିଜେପିର ବରିଷ୍ଠ ନେତା ରାହୁଲ ସିହ୍ନାଙ୍କୁ ଜାତୀୟ ସଚିବ ପଦରୁ ହଟାଇବା ପରେ ତୃଣମୂଳ କଂଗ୍ରେସର ପୂର୍ବତନ ନେତା ମୁକୁଲ ରାୟ ଏବଂ ଅନୁପମ ହାଜରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା | ଯାହାକୁ ନେଇ କିଛି ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି |

ଏସବୁ ମନାନ୍ତରକୁ ଦୂର କରାଯାଇ କିଭଳି ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବ ସେ ନେଇ ଶାହା ଆଲୋଚନା କରିବେ | ଚର୍ଚ୍ଚା ମୁତାବକ ଗୃହମନ୍ତ୍ରୀ ଅମିତ ଶାହା ବାଙ୍କୁରା ଏବଂ କୋଲକାତାରେ ବିଜେପି ନେତାଙ୍କ ସହ ବୈଠକ କରିବେ । ଏହାପୂର୍ବରୁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଅମିତ ଶାହାଙ୍କ ସହ ପଶ୍ଚିମବଙ୍ଗ ଯିବାର ଥିଲା, କିନ୍ତୁ କିଛି କାରଣରୁ ନଡ୍ଡାଙ୍କର ଗସ୍ତ ବାତିଲ କରାଯାଇଥିଲା |

ସମ୍ବନ୍ଧିତ ଖବର