ଖୁବ ଶୀଘ୍ର ସିଆରପିସି, ଆଇପିସିରେ ପରିବର୍ତ୍ତନ: ଭାରତୀୟ ସାକ୍ଷ୍ୟ ଆଇନ ରୂପରେଖ ବି ବଦଳିପାରେ

ସାଂସଦମାନଙ୍କୁ ଚିଠି ଲେଖି ମତାମତ ଲୋଡ଼ିଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ ଅପରାଧିକ(କ୍ରିମିନାଲ) ଆଇନଗୁଡିକର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଖବର ସାରା ଦେଶକୁ ଦୋହଲାଇ ଦେଲାଣି। ଆଉ କେହି ନୁହେଁ, ଖୋଦ୍ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜେ ସବୁ ସାଂସଦଙ୍କୁ ଏକ ପତ୍ର ଲେଖି ଏହି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ସାଂସଦମାନେ ଆଇପିସି, ସିଆରପିସି ଏବଂ ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ ଏଭିଡେନ୍ସ ଆକ୍ଟ)ର ସଂଶୋଧନ ଉପରେ ଶୀଘ୍ର ସେମାନଙ୍କର ମତାମତ ଜଣାନ୍ତୁ। ଏହା ହିଁ ସୂଚାଇ ଦେଉଛି ଯେ ଏହି ତିନିଟି ଆଇନରେ କେନ୍ଦ୍ର ବଡ ପରିବର୍ତ୍ତନ କରିବା ଲାଗି ଅଣ୍ଟା ଭିଡୁଛି। ତେବେ ଏହାର ସ୍ବରୂପ କଣ ହେବ, କେନ୍ଦ୍ର ସରକାର କେଉଁ ପରିବର୍ତ୍ତନ କଥା ମନରେ ରଖି ଏଭଳି ପଦକ୍ଷେପ ନେବା ଲାଗି ରାସ୍ତା ଖୋଲୁଛନ୍ତି, ସେ ସଂକ୍ରାନ୍ତରେ କିଛି ବି ସୂଚନା ମିଳିନାହିଁ।

ଶ୍ରୀ ଶାହ ସାଂସଦମାନଙ୍କୁ ଜଣାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସ’ ମନ୍ତ୍ର ସହିତ ସାମ୍ବିଧାନିକ ଏବଂ ଲୋକତାନ୍ତ୍ରିକ ଆକାଂକ୍ଷା ଅନୁରୁପ ଦେଶର ସମସ୍ତ ନାଗରିକଙ୍କ ପାଇଁ ତ୍ବରିତ ନ୍ୟାୟ ସୁନିଶ୍ଚିତ ପାଇଁ ପ୍ରତିବଦ୍ଧ ଅଛନ୍ତି। ବିଶେଷ କରି ଦୁର୍ବଳ ଓ ପଛୁଆ ବର୍ଗର ଲୋକମାନଙ୍କୁ ତ୍ବରିତ ନ୍ୟାୟ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଭାରତୀୟ ଲୋକତନ୍ତ୍ରର ସାତ ଦଶନ୍ଧିର ଅନୁଭବ ଆମର ଅପରାଧିକ ଆଇନଗୁଡିକର ବ୍ୟାପକ ସମୀକ୍ଷା କରିବା ପାଇଁ ଦାବି କରୁଛି। ବିଶେ‌‌ଷ କରି ଆଇପିସି(୧୮୬୦), ସିଆରପିସି(୧୯୭୩), ଭାରତୀୟ ସାକ୍ଷ୍ୟ ଆଇନ(୧୮୭୨)ର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ଅମିତ ଶାହ ପତ୍ରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟକୁ ଦେଖି ଏସବୁ ଆଇନର ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ଆମର ଲୋକମାନଙ୍କର ଆକାଂକ୍ଷା ଅନୁସାରେ ମଧ୍ୟ ଏଥିରେ ସଂଶୋଧନ ଅଣାଯିବା ଉଚିତ୍। କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଜନ-କେନ୍ଦ୍ରୀତ ଆଇନ ଢାଞ୍ଚା ପ୍ରସ୍ତୁତ କରିବା। ଭାରତର ପ୍ରଧାନ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଂଚଳର ପ୍ରଶାସକ, ବାର କାଉନସିଲ, ତଥା ଆଇନ ବିଶ୍ବବିଦ୍ୟାଳୟମାନଙ୍କ ଠାରୁ ମଧ୍ୟ ଏ ନେଇ ମତାମତ ଲୋଡ଼ାଯାଇଥିବା ସାଂସଦମାନଙ୍କୁ ଲେଖା ଯାଇଥିବା ପତ୍ରରେ ଅମିତ ଶାହ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର