ଲକ୍ଷ୍ନୌ : ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ଉତ୍ତରପ୍ରଦେଶରେ ନିର୍ବାଚନ ରାଲି କରିଛନ୍ତି। ଉତ୍ତରପ୍ରଦେଶର ଦିବିୟାପୁରରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଶାହ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କ ଦଳ ଯଦି ଉତ୍ତରପ୍ରଦେଶରେ ପୁଣିଥରେ କ୍ଷମତାକୁ ଆସେ ତେବେ ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ କୃଷକଙ୍କୁ ବିଦ୍ୟୁତ ବିଲ୍‌ ପୈଠ କରିବାକୁ ପଡ଼ିବନି। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଫଳାଫଳ ଆସିବ ଏବଂ ମାର୍ଚ୍ଚ ୧୮ରେ ହୋଲି। ତେଣୁ ବିଜେପିକୁ କ୍ଷମତାକୁ ଆଣ ଏବଂ ମାର୍ଚ୍ଚ ୧୮ ତାରିଖରେ ତୁମମାନଙ୍କ ଘରେ ମାଗଣା ଗ୍ୟାସ ସିଲିଣ୍ଡର୍‌ ପହଞ୍ଚିବ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ କୌଣସି କୃଷକ ବିଦ୍ୟୁତ୍‌ ବିଲ୍‌ ଦେବେନି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶରେ ବିଜେପିର ବିଜୟ ହେବ ବୋଲି ଶାହ ଦୃଢ଼ୋକ୍ତି ବାଢ଼ିଛନ୍ତି।

Advertisment

ମାଗଣା ରାସନ୍‌ ପ୍ରତିଶ୍ରୁତି ଦେଲେ ଅଖିଳେଶ
ରାଏବରେଲି : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ଦିନ ରାଏବରେଲିରେ ଏକ ନିର୍ବାଚନ ରୢାଲିରେ ଯୋଗ ଦେଇ ଭୋଟରଙ୍କୁ କିଛି ନୂଆ‌ ପ୍ରତିଶ୍ରୁତି ଦେଇଛନ୍ତି। ସପା କ୍ଷମତାକୁ ଆସିଲେ ଗରିବଙ୍କୁ ୧ କିଲୋ ଘିଅ ଏବଂ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ୍‌ ମିଳିବ ବୋଲି ଅଖିଳେଶ ପ୍ରତିଶ୍ରୁତି ଦେଇଛନ୍ତି। ଅଖ‌ି‌ଳେଶ କହିଛନ୍ତି, ମାଗଣା ରାସନ ପାଉଥିବା ଗରିବ ଲୋକ କେବଳ ନିର୍ବାଚନ ପର୍ଯ୍ୟନ୍ତ ହିଁ ଏହା ପାଇବେ। ନିର୍ବାଚନ ପରେ ଆଉ ମାଗଣା ରାସନ୍‌ ମିଳିବନି। ପୂର୍ବରୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ରାସନ୍‌ ବଣ୍ଟନ ଯୋଜନା ଥିଲା। ନିର୍ବାଚନ ଥିବାରୁ ଏହାକୁ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। କିନ୍ତୁ ମାର୍ଚ୍ଚ ପରେ ନିର୍ବାଚନ ସରିଯିବାପରେ ମାଗଣା ରାସନ୍‌ ଆଉ ମିଳିବନି। ତେବେ ସପା କ୍ଷମତାକୁ ଆସିଲେ ଗରିବଙ୍କୁ ମାଗଣା ରାସନ୍‌ ମିଳିବ ବୋଲି ସେ କହିଛନ୍ତି। ବିଜେପି ବାଣ୍ଟୁଥିବା ରାସନ ସାମଗ୍ରୀ ନିମ୍ନମାନର ବୋଲି ଅଖିଳେଶ ଅଭିଯୋଗ କରିଛନ୍ତି।