ଭୋପାଳ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଜି ପୂର୍ବ ମଧ୍ୟପ୍ରଦେଶର ବାଲାଘାଟ ସହରରେ ଅବତରଣ କରିପାରି ନାହିଁ।
ଏସଂପର୍କରେ ସୂଚନା ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ହେଲିକପ୍ଟରଟି ଦୁର୍ଗରୁ ଉଡ଼ାଣ ଭରିଥିଲା। କିନ୍ତୁ ଖରାପ ପାଗ ଏବଂ ବର୍ଷା କାରଣରୁ ଏହାକୁ ଛତିଶଗଡ଼ର ରାଜଧାନୀ ରାୟପୁର ଅଭିମୁଖେ ଫେରିବାକୁ ପଡ଼ିଥିଲା।
ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଶାହା ବାଲାଘାଟରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଏହି ହେଲିକପ୍ଟରରେ ଆସୁଥିଲେ। ତେବେ, ଏହି ବୈଠକ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ ଏବଂ ଅମିତ ଭାଇ ଆଉ ଦିନେ ପୁଣି ଆସିବେ ବୋଲି ମୁଖ୍ୟମନ୍ତ୍ରୀ ଚୌହାନ ଗଣମାଧ୍ୟମକୁ କହିଛନ୍ତି।
୧୬ଶ ଶତାବ୍ଦୀର ଗୋଣ୍ଡୱାନା ଶାସକ ରାଣୀ ଦୁର୍ଗାବତୀଙ୍କ ସ୍ମୃତିରେ ମଧ୍ୟପ୍ରଦେଶରେ ୫ଟି ବୀରଙ୍ଗନା ରାଣୀ ଦୁର୍ଗାବତୀ ଗୌରବ ଯାତ୍ରାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶାହା ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଶାହଡୋଲ ଠାରେ ଏହି ଗୌରବ ଯାତ୍ରା ଶେଷ ହେବ।