ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ବିଧାନସଭା! ଦୁର୍ଗ ରକ୍ଷାରେ ସମର୍ଥ ହେବେ ତ ଦିଦି??

ନୂଆଦିଲ୍ଲୀ: ବିଜେପିରେ ଚାଣକ୍ୟ ରୂପେ ଖ୍ୟାତ ତଥା ବର୍ତ୍ତମାନର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଥିବା ଅମିତ ଶାହାଙ୍କର ଏବେ କେବଳ ମାତ୍ର ଗୋଟିଏ ଲକ୍ଷ୍ୟ ଓ ଗୋଟିଏ ମିଶନ। ଆଉ ସେଇଟି ହେଲା: ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦି ତଥା ଟିଏମ୍‌ସି ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କୁ ବାଜିମାତ୍‌ କରାଇ ତାଙ୍କ ଦଳ ବିଜେପିକୁ ରାଜ୍ୟର ଶାସନ ଗାଦିରେ କ୍ଷମତାସୀନ କରାଇବା। ଏଥିପାଇଁ ଏବେ ଠାରୁ ଫୁଲ୍‌ଦମରେ କସରତ୍‌ ଆରମ୍ଭ କରିଦେଲେଣି ଶ୍ରୀ ଶାହା।

ଗତ ସପ୍ତାହରେ ପଶ୍ଚିମବଙ୍ଗକୁ ଅଢ଼େଇ ଦିନିଆ ମାରାଥନ ଗସ୍ତରେ ଯାଇ ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦିଲ୍ଲୀ ଫେରିବା ପରେ ପୁଣି ଥରେ ଆସନ୍ତା ଜାନୁଆରି ମାସ ପାଇଁ ତାଙ୍କ ପଶ୍ଚିମବଙ୍ଗ ଗସ୍ତକୁ ଆଜି ଚୂଡ଼ାନ୍ତ କରିଛନ୍ତି ଶ୍ରୀ ଶାହା। ଖାଲି ଏତିକି ନୁହେଁ ଫେବ୍ରୁଆରିରୁ ସେ ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ମଧ୍ୟ ଆଜି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ନେତାମାନଙ୍କ ସହ ଆଭ୍ୟନ୍ତରୀଣ ଦଳୀୟ ବ୍ୟାପାର ନେଇ ବିଚାରବିମର୍ଶ କରିବା ପରେ ଏପରି ଘୋଷଣା କରିଛନ୍ତି ମନ୍ତ୍ରୀ ଶ୍ରୀ ଶାହା।

ଏସଂପର୍କରେ ନୂଆଦିଲ୍ଲୀ ଠାରେ ବିଜେପିର ବରିଷ୍ଠ ନେତାମାନେ କହିଛନ୍ତି ଯେ ଆସନ୍ତା ଜାନୁଆରି ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଓ ଜାନୁଆରି ୨୩ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରୀ ଶାହା ପଶ୍ଚିମବଙ୍ଗ ଗସ୍ତ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଶ୍ରୀ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଓ ସେଠାରେ ଉପସ୍ଥିତି ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ଚାପ ତୀବ୍ର ହେବ।

ଏଥିସହ ଦଳର ବରିଷ୍ଠ ନେତାମାନେ କହିଛନ୍ତି ଯେ ଫେବ୍ରୁଆରି ମାସରୁ ସେ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ମାସରେ ପ୍ରାୟ ଏକ ସପ୍ତାହ ବିତାଇବେ। ତାଙ୍କ ଉପସ୍ଥିତି ପାର୍ଟି କ୍ୟାଡରଙ୍କୁ ଉତ୍ସାହିତ କରିବ ବୋଲି ସେମାନେ ଦର୍ଶାଇଛନ୍ତି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଅତିକମ୍‌ରେ ୨୦୦ ଆସନ ହାତେଇବା ପାଇଁ ଯୋଜନା ପ୍ରସ୍ତୁତ କରି ଶ୍ରୀ ଶାହା ନିଜର ରଣନୀତି ଆରମ୍ଭ କରି ଦେଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଯେ କୌଣସି ଉପାୟରେ କ୍ଷମତାସୀନ କରାଇ ଦେଶର ବିରୋଧୀ ଦଳକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବା ଉଦ୍ଦେଶ୍ୟରେ ରହିଛନ୍ତି ବିଜେପିର ଚାଣକ୍ୟ ଶ୍ରୀ ଶାହା।

ସମ୍ବନ୍ଧିତ ଖବର