ନୂଆଦିଲ୍ଳୀ: ଭୋଟ ଗଣନାର ଗୋଟିଏ ଦିନ ପୂର୍ବରୁ ବିଦାୟୀ ଗୃହମନ୍ତ୍ରୀ ଅମିତ ଶାହ ଦେଶର ୧୫୦ଜଣ ଜିଲ୍ଲା ମାଜିଷ୍ଟ୍ରେଟ୍‌ (ଡିଏମ୍‌)ଙ୍କୁ ‌ଫୋନ୍‌ କରିଛନ୍ତି। ଏଥିରୁ ବିଜେପି କେତେ ବିବତ୍ର ତାହା ସ୍ପଷ୍ଟ ହେଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ‌ ପୋଷ୍ଟ୍‌ କରିଥିଲେ। ଏହି ମନ୍ତବ୍ୟକୁ ନିର୍ବାଚନ କମିସନ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ କମିସନ ଜୟରାମଙ୍କୁ ନୋଟିସ୍‌ ଜାରି କରି ଆଜି ସନ୍ଧ୍ୟା ସୁଦ୍ଧା କେଉଁ କେଉଁ ଜିଲ୍ଲା ଜିଲ୍ଳାପାଳଙ୍କୁ ଅମିତ ଶାହ ଫୋନ୍‌ କରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାରି କରିଥିବା

Advertisment

ନୋଟିସରେ ମୁଖ୍ୟ ନିର୍ବାଚନ କମିସନର ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ଜିଲ୍ଲା ମାଜିଷ୍ଟ୍ରେଟ୍‌ ସେମାନଙ୍କୁ ଅଯଥା ଚାପ ପକାଯାଇଥିବା ଅଭିଯୋଗ କରିନାହାନ୍ତି। ତଥାପି ବରିଷ୍ଠ ନେତାଙ୍କ ଅଭିଯୋଗ ଅନୁସାରେ ଓ ଲୋକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳଙ୍କ ବିସ୍ତୃତ ତଥ୍ୟ ରଖିବାକୁ କୁହାଯାଉଛି। ଭୋଟ ଗଣନା ଭଳି ଏକ ପବିତ୍ରତମ କାର୍ଯ୍ୟ ରିଟର୍ଣ୍ଣି ଅଧିକାରୀ (ଆର୍‌ଓ)ଙ୍କ ଉପରେ ନ୍ୟସ୍ତ ରହିଛି। ଜଣେ ବରିଷ୍ଠ, ଦାୟିତ୍ବବାନ ଓ ଅଭିଜ୍ଞ ନେତାଙ୍କ ସର୍ବସାଧାଣରେ ଏଭଳି ମନ୍ତିବ୍ୟ ସେହି ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିବ। ଏଣୁ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଶନିବାର, ଉକ୍ତ ପୋଷ୍ଟରେ ଜୟରାମ ଲେଖିଥିଲେ ଯେ ଜୁନ୍‌ ୪ ତାରିଖରେ ମୋଦୀ, ଶାହଙ୍କ ସହିତ ବିଜେପି ବିଦାୟ ନେବ।