ପୋର୍ଟ ବ୍ଲେୟାରରେ ଅମିତ ଶାହଙ୍କ ଭାଷଣ: ନେତାଜୀ ଓ ସର୍ଦ୍ଦାର ପଟେଲଙ୍କ ପ୍ରତି ଅନ୍ୟାୟ ହୋଇଛି

ପୋର୍ଟ ବ୍ଲେୟାର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପୋର୍ଟ ବ୍ଲେୟାରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଆମେ ଯେତିକି ଗୁରୁତ୍ବ ଦେବା କଥା ଦେଇନାହୁଁ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ବି ଅନ୍ୟାୟ ହୋଇଛି। ଶାହ କହିଲେ ଯେ, ନେତାଜୀ ସୁଭାଷ ଚନ୍ଦ୍ର ଓ ସର୍ଦ୍ଦାର ପଟେଲଙ୍କ ପରି ଅନେକ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ବାଧୀନତା ପ୍ରାପ୍ତି ପରେ ଯଥାସମ୍ମାନ ଦିଆଯାଇ ନାହିଁ। ଦେଶ ପ୍ରତି ସେମାନଙ୍କ ଅବଦାନକୁ କମ୍ କରି ଦେଖାଇବାକୁ ଚେଷ୍ଟା କରାଯାଇଛି। ସ୍ବାଧୀନତା ଆନ୍ଦୋଳନ ଇତିହାସର ଧ୍ରୁବତାରା ନେତାଜୀଙ୍କୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ଦିଆଯାଇ ନାହିଁ। ଅନେକ ଖ୍ୟାତନାମା ସ୍ବାଧୀନତା ସଂଗ୍ରାମୀଙ୍କୁ ଅଣଦେଖା କରାଯାଇଛି। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଇତିହାସରେ ଉପଯୁକ୍ତ ସ୍ଥାନ ଦେବା ଲାଗି ସମୟ ଆସିଛି। ଯେଉଁମାନେ ଦେଶ ପାଇଁ ଆତ୍ମବଳି ଦେଇଛନ୍ତି, ସେମାନଙ୍କୁ ଇତିହାସରେ ଯଥୋପଯୁକ୍ତ ସ୍ଥାନ ଦିଆଯିବା ଉଚିତ।

ସେଥିପାଇଁ ନେତାଜୀଙ୍କ ନାମରେ ଏହି ଦ୍ବୀପର ନୂତନ ନାମ ରଖିବା ଲାଗି ପ୍ର‌ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ ବୋଲି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉନ୍ମୋଚନ ଅବସରରେ ଅମିତ ଶାହ କହିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ତିନିଦିନିଆ ଗସ୍ତରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ଆସିଛନ୍ତି। ଶନିବାର ସେ ୨୯୯ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବା ବେଳେ ୬୪୩ କୋଟି ଟଙ୍କା ମୂଲ୍ୟର ୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶନିବାର ଉଦ୍‌ଘାଟିତ ଏକ ପୋଲର ନାମ ‘ଆଜାଦ ହିନ୍ଦ୍ ଫୌଜ ବ୍ରିଜ୍’ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଶାହ କହିଥିଲେ। ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଦ୍ବୀପର ନାମ ଥିଲା ରୋଜ୍ ଆଇଲାଣ୍ଡ। ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହି ଦ୍ବୀପର ନାମ ରଖାଯାଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଲାଣ୍ଡ। ଏହି ଦ୍ବୀପରେ ନେତାଜୀ ପ୍ରଥମ କରି ସ୍ବାଧୀନତାର ଝଣ୍ଡା ଉଡ଼ାଇଥିଲେ। ଆଗାମୀ ଦିନରେ ଏହି ଦ୍ବୀପର ଆହୁରି ଉନ୍ନତି କରାଯିବ ଏବଂ ସୁଭାଷବାବୁଙ୍କ ପାଇଁ ଏକ ବିରାଟ ସ୍ମାରକ ଭବନ ନିର୍ମାଣ କରାଯିବ ବୋଲି ଶାହ କହିଥିଲେ।

ସମ୍ବନ୍ଧିତ ଖବର