ବିହାରରେ ଅମିତ ଶାହଙ୍କ ‘ଭର୍ଚୁଆଲ ରୢାଲି’

କରୋନା ଯୋଦ୍ଧାଙ୍କୁ ସଲାମ, ପ୍ରବାସୀଙ୍କୁ ମନାଇବାକୁ ପ୍ରୟାସ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିହାରରେ ଭର୍ଚୁଆଲ ରୢାଲି କରି କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବିଗୁଲ ମଧ୍ୟ ବଜାଇଛନ୍ତି। ଶାହଙ୍କ ‘ବିହାର ଜନସମ୍ବାଦ ରୢାଲି’କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଅନ୍ୟପକ୍ଷରେ ଶାହଙ୍କ ରୢାଲିକୁ ବିରୋଧ କରି ଆଜି ଆର୍‌ଜେଡି ଥାଳି ବଜାଇ ଏହାର ବିରୋଧ କରିଥିବା ବେଳେ ଏନ୍‌ଡିଏ ସହଯୋଗୀ ଜେଡିୟୁ ଏବଂ ଏଲ୍‌ଜେପି ରୢାଲିକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ଶାହ କରୋନା‌ ଯୋଦ୍ଧାଙ୍କ ଉତ୍ସାହ ବଢ଼ାଇ ତାଙ୍କ ଉଦ୍‌ବୋଧନ ଆରମ୍ଭ କରିଥିଲେ ଏବଂ ଜୀବନକୁ ବାଜି ଲଗାଇ ଭାଇରସ୍‌ ସହ ଲଢ଼ୁଥିବାରୁ ସେ କରୋନା ଯୋଦ୍ଧାଙ୍କୁ ସଲାମ କରିଥିଲେ। ଏହା ସହିତ ଶାହ ସ୍ପଷ୍ଟ କରିଦେଇଥିଲେ ଯେ ଏହି ରୢାଲି ସହିତ ବିହାର ବିଧାନସଭା ନିର୍ବାଚନ ପ୍ରଚାରର କୌଣସି ସଂପର୍କ ନାହିଁ। କୋଭିଡ ୧୯ ବିରୋଧରେ ଲଢ଼େଇ କରୁଥିବା ଲୋକଙ୍କ ସହିତ ଯୋଡ଼ିହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଶାହା କହିଛନ୍ତି ଯେ ସ୍ବାଧୀନ ଭାରତର ଇତିହାସରେ କଂଗ୍ରେସ ପାର୍ଟି ନେତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜରୁରୀ ପରିସ୍ଥିତି ଲଗାଇ ଗଣତନ୍ତ୍ରର କଣ୍ଠରୋଧ କରିଥିବା ବେଳେ ବିହାରର ଜନସାଧାରଣ ଜେପି ଆନ୍ଦୋଳନ କରି ଗଣତନ୍ତ୍ରକୁ ପୁନଃ ସ୍ଥାପନ କରିବା କାମ କରିଥିଲେ। ବିହାରର ମାଟି ପ୍ରଥମ ଥର ପାଇଁ ବିଶ୍ବକୁ ଗଣତନ୍ତ୍ରର ଅସଲ ଶକ୍ତିର ପରିଚୟ ଦେଇଥିଲା। ଯେଉଁଠି ମହାନ ମଗଧ ସାମ୍ରାଜ୍ୟର ଭିତ୍ତି ସ୍ଥାପନ ହୋଇଛି ସେହି ଭୂମି ସର୍ବଦା ଭାରତକୁ ଉପଯୁକ୍ତ ନେତୃତ୍ବ ପ୍ରଦାନ କରିଆସିଛି ବୋଲି ଶାହ କହିଛନ୍ତି।

ଶାହ କହିଛନ୍ତି, ୭୫ଟି ଭର୍ଚୁଆଲ ରୢାଲି ମାଧ୍ୟମରେ ସେ ଲୋକଙ୍କ ସହିତ ସଂପର୍କ ସ୍ଥାପନ ପାଇଁ ତାଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୁଯୋଗ ଦେଇଛନ୍ତି। ଏହି ରୢାଲି ରାଜନୈତିକ ଦଳର ଗୁଣଗାନ ପାଇଁ ନୁହେଁ, ଏହାର ଲକ୍ଷ୍ୟ ଜନତାଙ୍କୁ କରୋନା ବିରୋଧୀ ଲଢ଼େଇରେ ଏକଜୁଟ ରଖିବା ଏବଂ ଉତ୍ସାହିତ କରିବା। ଅମିତ ଶାହ କହିଥିଲେ ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର କୋଟି କୋଟି ଗରିବଙ୍କ ଜୀବନରେ ଆଲୋକ ଆଣିଛନ୍ତି। ପୂର୍ବ ଭାରତରେ ଗରିବ, ଦଳିତ ଆଦିବାସୀ ଏବଂ ପଛୁଆ ବର୍ଗର କଲ୍ୟାଣ ନିମନ୍ତେ ଅହରହ କାମ ଚାଲିଛି। ପ୍ରବାସୀ ଶ୍ରମିକଙ୍କ ସଙ୍କଟ ସମାଧାନ ଦିଗରେ ସରକାର ଅନେକ ପ୍ରୟାସ କରିବା ସହ ସେମାନଙ୍କ କଷ୍ଟ ଲାଘବ ପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଶାହ କହିଛନ୍ତି ଯେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏଭଳି ଏକମାତ୍ର ନେତା ଯାହାଙ୍କ ଗୋଟିଏ ଆହ୍ବାନରେ ଲୋକେ ଘର ଭିତରେ ରହି ଥାଳି ବଜାଇଛନ୍ତି ଏବଂ ଦୀପ ଜଳାଇଛନ୍ତି। ଦେଶର ୧୩୦ କୋଟି ଜନତା ପ୍ରଧାନମନ୍ତ୍ରୀଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କରୋନା ବିରୋଧୀ ଯୁଦ୍ଧରେ ସାମିଲ ହୋଇଛନ୍ତି। ବିହାରରେ ଏବେ ବିକାଶର ନୂଆ ଯୁଗ ଚାଲିଛି ଏବଂ ରାଜ୍ୟ ଜଂଗଲରାଜରୁ ଜନତାରାଜରେ ପହଞ୍ଚିଛି। ଆଗାମୀ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣି କ୍ଷମତାକୁ ଫେରିବ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର