ଐଶ୍ୱର୍ଯ୍ୟା-ଆରାଧ୍ୟାଙ୍କୁ ବି କରୋନା, ଜୟା ଓ ପରିବାରର ଅନ୍ୟ ସଦସ୍ୟ ନେଗେଟିଭ୍‌

ଅନୁପମ ଖେର୍‌ଙ୍କ ମା’, ଭାଇ ଓ ଭାଇବୋହୂ ସଂକ୍ରମିତ

ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି: ହସ୍ପିଟାଲ
୨୫ % କାର୍ଯ୍ୟକ୍ଷମ ଯକୃତକୁ ନେଇ ଚିନ୍ତା
ସୁସ୍ଥତା ପାଇଁ ସାରା ଦେଶରେ ପୂଜାର୍ଚ୍ଚନା
ସିଲ୍‌ ହେଲା ବିଗ୍‌ ବି’ଙ୍କ ୪ ବଙ୍ଗଳା

ମୁମ୍ବାଇ : ବଲିଉଡ୍‌ର ମହାନାୟକ ବିଗ୍‌ ‘ବି’ ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଆଜି ଅଭିଷେକଙ୍କ ପତ୍ନୀ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ସ୍ବାବ୍‌ ଟେଷ୍ଟ୍‌ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ମାତ୍ର ବଚ୍ଚନ ପରିବାରର ଅନ୍ୟମାନଙ୍କ ମଧ୍ୟରେ ପତ୍ନୀ ଜୟା ବଚ୍ଚନ, ଝିଅ ଶ୍ବେତା ନନ୍ଦ‌ା ଏବଂ ତାଙ୍କ ପୁତ୍ରକନ୍ୟା ଅଗସ୍ତ୍ୟା, ନବ୍ୟାନଭେଲିଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଟ୍ବିଟ୍‌ କରି ଏହି ସୂଚନା ଦେବା ସହ ବଚ୍ଚନ ପରିବାର ଖୁବ୍‌ ଶୀଘ୍ର କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରିଛନ୍ତି।

ଅନ୍ୟପକ୍ଷରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଗତକାଲି ରାତିରେ ନାନାବତି ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭୭ ବର୍ଷୀୟ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି ବୋଲି ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନଙ୍କ ଭଳି ଜଣେ ବିଶାଳ ବ୍ୟକ୍ତିତ୍ବଙ୍କ ଚିକିତ୍ସା ଭାର ଆମ ପାଇଁ ଏକ ବିରାଟ ଆହ୍ବାନ ବୋଲି ହସ୍ପିଟାଲର କ୍ରିଟିକାଲ କେୟାର ୟୁନିଟ ମୁଖ୍ୟ ଡାକ୍ତର ଅବଦୁଲ ସମଦ ଅନ୍‌ସାରି କହିଛନ୍ତି। ଅପରପକ୍ଷରେ ଅମିତାଭଙ୍କର ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିବା ଜଣାପଡ଼ିଛି। ପୂର୍ବରୁ ସେ ଯକ୍ଷ୍ମା ଓ ହେପାଟାଇଟିସ୍‌-ବି ରୋଗରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିଲେ। ତାଙ୍କ ଲିଭର (ଯକୃତ)ର ମାତ୍ର ୨୫ ପ୍ରତିଶତ ଅଂଶ କାର୍ଯ୍ୟ କରୁଛି। ଏଭଳି ସ୍ଥିତିରେ କରୋନା ତାଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ଏବଂ ଏହା ଡାକ୍ତରମାନଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି। ହସ୍ପିଟାଲରେ ଥିବା ଅଭିଷେକ କିନ୍ତୁ ଏକ ଟୁଇଟ୍‌ କରି ସେମାନଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି ଏବଂ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବାରୁ ଏ ନେଇ ବ୍ୟସ୍ତ ନ ହେବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି।

YouTube

ବିଗ୍‌-ବି’ଙ୍କ ସମେତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଦେଶବିଦେଶରେ ତାଙ୍କର ଅଗଣିତ ପ୍ରଶଂସକ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି। ଏପରିକି ଦେଶର କେତେକ ସ୍ଥାନରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କ ପାଇଁ ପୂଜାପାଠ ଓ ଯଜ୍ଞ ମଧ୍ୟ କରିଥିବା ନଜରକୁ ଅ‌ାସିଛି।

ସୂଚନାଯୋଗ୍ୟ, ବିଗ୍‌ ବି ଏବଂ ତାଙ୍କ ପୁଅ ଅଭି‌‌ଷେକ ଗତକାଲି ସନ୍ଧ୍ୟାରେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ନାନାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଐଶ୍ବର୍ଯ୍ୟା, ଆରାଧ୍ୟାଙ୍କ ସମେତ ପରିବାରର ବାକି ସଦସ୍ୟଙ୍କ ରିପୋର୍ଟ ଗତକାଲି ନେଗେଟିଭ ଆସିଥିଲା। ମାତ୍ର ଆଜି ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟରେ ଐଶ୍ବର୍ଯ୍ୟା ଓ ଆରାଧ୍ୟା ମଧ୍ୟ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ଏ ଦୁଇ ଜଣଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନଥିଲାବେଳେ ଏମାନଙ୍କର କୋଭିଡ-୧୯ ପଜିଟିଭ ଆସିଛି ଏବଂ ସେମାନଙ୍କୁ ହୋମ୍‌ କ୍ବାରାଣ୍ଟିନରେ ରଖାଯାଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଅମିତାଭଙ୍କ ପରିବାର ସଂସ୍ପର୍ଶରେ ମୋଟ୍ ୩୦ ଜଣ ଆସିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯାଇଛି। ଏଯାଏ ସମସ୍ତଙ୍କ ରିପୋର୍ଟ ଆସି ନାହିଁ। ତେବେ ବିଗ୍‌ ବି’ଙ୍କ ପରିବାରର ଅନ୍ୟ ସଦସ୍ୟା ଶ୍ୱେତା ନନ୍ଦା, ଅଗସ୍ତ୍ୟ ନନ୍ଦା, ନବ୍ୟା ନାଭେଲି ନନ୍ଦ ଓ ଜୟା ବଚ୍ଚନ କରୋନା ସଂକ୍ରମିତ ହୋଇନଥିବା ଜଣାପଡ଼ିଛି। କିନ୍ତୁ ପୁଣିଥରେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସ୍ବାବ୍‌ ନମୁନା ପରୀକ୍ଷା କରାଯିବ ବୋଲି ଜଣାଯାଇଛି।

Mumbai Live

ଅନ୍ୟପକ୍ଷରେ ବଚ୍ଚନଙ୍କ ପରିବାରର ଚାରିଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ବମ୍ବେ ମ୍ୟୁନିସିପାଲ୍‌ କର୍ପୋରେସନ୍‌ (ବିଏମ୍‌ସି) ସେମାନଙ୍କ ୪ଟି ବଙ୍ଗଳା ଯଥା ଜନକ, ବତ୍ସ, ପ୍ରତୀକ୍ଷା ଏବଂ ଜଲ୍‌ସାକୁ ସିଲ୍ କରିଦେଇଛି। ଏହାସହ ସମଗ୍ର ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଅନୁପମ ଖେର୍‌ଙ୍କ ମା’, ଭାଇ ଓ ଭାଇବୋହୂ ସଂକ୍ରମିତ
ବଲିଉଡ୍‌ର ଅନ୍ୟତମ ବରିଷ୍ଠ ଅଭିନେତା ଅନୁପମ୍‌ ଖେର୍‌ଙ୍କ ମା’ ଦୁଲାରୀ, ଭାଇ ରାଜୁ, ଭାଇବୋହୂ ରିମା ଓ ଝିଆରୀ ବୃନ୍ଦା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ନିଜେ ଅନୁପମ ଖେର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତେବେ ଅନୁପମ୍‌ କୋଭିଡ ନେଗେଟିଭ୍‌ ବୋଲି ଜଣାପଡ଼ିଛି। ଅନୁପମଙ୍କ ମା’ଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ସଦସ୍ୟମାନଙ୍କୁ ହୋମ୍‌ କ୍ବାରାଣ୍ଟିନରେ ରଖାଯାଇଛି ବୋଲି ଅନୁପମ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର