ନୂଆଦିଲ୍ଲୀ: ବଲିଉଡର ଦିଗ୍ଗଜ ଅଭିନେତା ଅମିତାଭ ବଚ୍ଚନ ଏବେ ଆମାଜନ ସହ ସହଭାଗିତା କରିଛନ୍ତି । ଏହି ସହଭାଗିତା ଅଧୀନରେ ଆଲେକ୍ସା ଭାରତରେ ପ୍ରଥମ ଥର ପାଇଁ ଜଣେ ସେଲିବ୍ରିଟିଙ୍କ ଭଏସରେ ଉପଲବ୍ଧ ହେବ | ଆମାଜନ ଇଣ୍ଡିଆ ଅନୁଯାୟୀ, ଭାରତରେ ଗ୍ରାହକମାନେ ଆଲେକ୍ସାରେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣି ପାରିବେ। ଏଥିପାଇଁ ଅମିତାଭ ବଚ୍ଚନ ଭଏସ୍ ଏକ୍ସପେରିଏନ୍ସ କିଣିବାକୁ ପଡିବ ଏବଂ ଏହି ବୈଶିଷ୍ଟ୍ୟ ଆସନ୍ତା ବର୍ଷ ଠାରୁ ଉପଲବ୍ଧ ହେବ |

Advertisment

ଆମାଜନ ଇଣ୍ଡିଆ କହିଛି ଯେ, ଆମାଜନ ଆଲେକ୍ସାର ଦଳ ଅମିତାଭ ବଚ୍ଚନଙ୍କ ସହ କାମ କରିବ, ଯାହା ଦ୍ବାରା ଆଲେକ୍ସା ପାଇଁ ତାଙ୍କ ସ୍ୱର ଭଲ ଭାବରେ କଏଦ ହୋଇପାରିବ। ଆଲେକ୍ସାର ଲୋକପ୍ରିୟ ଭଏସ୍ କମାଣ୍ଡ୍ ଅମିତାଭ ବଚ୍ଚନଙ୍କ ସ୍ୱରରେ ମିଳିବ | ଯେପରିକି ମଜାକଥା, ପାଣିପାଗ, କବିତା, ପ୍ରେରଣାଦାୟକ ଉଦ୍ଧୃତି ଏବଂ ପରାମର୍ଶ ଅମିତାଭ ବଚ୍ଚନଙ୍କ ସ୍ୱରରେ ଉପଲବ୍ଧ ହେବ |

ଏହି ସହଭାଗିତା ଉପରେ ଅମିତାଭ ବଚ୍ଚନ କହିଛନ୍ତି ଯେ, ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଭଏସ୍ ଟେକ୍ନୋଲୋଜିର ସାହାଯ୍ୟରେ ସେ ଏପରି କିଛି ସୃଷ୍ଟି କରିଛନ୍ତି ଯାହା ତାଙ୍କୁ ଶ୍ରୋତା ଏବଂ ଶୁଭେଚ୍ଛୁମାନଙ୍କ ସହିତ ଏକ ଭଲ ଉପାୟରେ ଯୋଡ଼ିବାରେ ସକ୍ଷମ କରିବ।

ତେବେ ଅମିତାଭ ବଚ୍ଚନ ଭଏସ୍ ଏକ୍ସପେରିୟନ୍ସ କିଣିବା ପାଇଁ ଉପଭୋକ୍ତାଙ୍କୁ କେତେ ଟଙ୍କା ଦେବାକୁ ପଡିବ ତାହା କମ୍ପାନି ବର୍ତ୍ତମାନ ସ୍ପଷ୍ଟ କରିନାହିଁ।