ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭଙ୍କୁ କରୋନା, ଅଭିଷେକ ବି ଆକ୍ରାନ୍ତ; ପତ୍ନୀ ଜୟା, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ ସ୍ବାବ୍‌ ନମୁନା ନେଗେଟିଭ୍

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ବିଗ୍‌ ‘ବି’ ଅମିତାଭ ବଚ୍ଚନ (୭୭) କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏ ନେଇ ନିଜେ ଶ୍ରୀ ବଚ୍ଚନ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସ୍ବାବ୍‌ ନମୁନା ମଧ୍ୟ ପଜିଟିଭ୍ ଆସିଥିବା ଜଣାପଡ଼ଛି। ଏହି ଖବର ଜଣାପଡ଼ିବା ପରେ ସମଗ୍ର ବଲିଉଡ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସାରା ଦେଶରେ ଅମିତାଭଙ୍କ କୋଟି କୋଟି ପ୍ରଶଂସକ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ତେବେ ଅମିତାଭଙ୍କ ପରିବାରର ଅନ୍ୟ ସଦସ୍ୟା ପତ୍ନୀ ଜୟା, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ ସ୍ବାବ୍‌ ନମୁନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି।

ଶନିବାର ରାତିରେ ନିଜ ଟ୍ବିଟର ଆକାଉଣ୍ଟ୍‌ରେ ଶ୍ରୀ ବଚ୍ଚନ ଲେଖିଛନ୍ତି ଯେ ତାଙ୍କର କୋଭିଡ୍‌ ପରୀକ୍ଷା ହେବା ପରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଛନ୍ତି। ତେଣୁ ସେ ହସପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କ ପରିବାର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଛି ଏବଂ ‌ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ଗତ ୧୦ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ନିଜର କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଅମିତାଭ କରୋନା ଆକ୍ରାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଟ୍ବିଟରରେ ଦେଶର ଅନେକ ରାଜନେତା ଏବଂ ବଲିଉଡ୍‌ ଜଗତର ବହୁ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି। ନିର୍ଦ୍ଦେଶକ କୁନାଲ କୋହଲି କହିଛନ୍ତି, ସାର୍‌, ଆପଣଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି। ଆମେ ଆପଣଙ୍କୁ ବହୁତ ଭଲ ପାଉ। ସେହିଭଳି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟ୍ବିଟ୍‌ କରି କହିଛନ୍ତି, ଆମେ ମହାନାୟକଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛୁ। ଅଭିନେତ୍ରୀ ଦିବ୍ୟା ଦତ୍ତ, ରବିନା ଟଣ୍ଡନ ପ୍ରମୁଖ ମଧ୍ୟ ବିଗ୍‌ ବି’ଙ୍କ ଆରୋଗ୍ୟ କାମନା କରିଛନ୍ତି।

ଶ୍ରୀ ବଚ୍ଚନ ନିକଟରେ ସୁଜିତ୍‌ ସିର୍‌କାରଙ୍କ କମେଡି ଡ୍ରାମା ‘ଗୁଲାବୋ ସିତାବୋ’ ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ସହ ନଜରକୁ ଆସିଥିଲେ। ମାତ୍ର କରୋନା ମହାମାରୀ ଯୋଗୁଁ ଏହି ଫିଲ୍ମ କୌଣସି ହଲ୍‌ରେ ମୁକ୍ତିଲାଭ ହୋଇପାରି ନଥିଲେ ମଧ୍ୟ ଆମାଜନ ପ୍ରାଇମ୍‌ ଭିଡିଓ ମାଧ୍ୟମରେ ଏହା ରିଲିଜ୍‌ ହୋଇ ବିପୁଳ ଲୋକପ୍ରିୟତା ହାସଲ କରିଛି।

ଉଲ୍ଲେଖ୍ୟଯୋଗ୍ୟ, ଆଜି ବର୍ଷିୟାନ୍‌ ଅଭିନେତ୍ରୀ ରେଖାଙ୍କ ଜଣେ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କ ବାସଭବନକୁ ସିଲ୍‌ କରାଯାଇଛି।

ସମ୍ବନ୍ଧିତ ଖବର