ସୁସ୍ଥ ହୋଇ ଘରକୁ ଫେରିଲେ ଅମିତାଭ

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହୋଇ ପ୍ରାୟ ତିନି ସପ୍ତାହ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି। ଏହି ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଆଶ୍ବସ୍ତ କରିଥିବାବେଳେ ଅମିତାଭ ମଧ୍ୟ ତାଙ୍କର ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

୭୭ ବର୍ଷୀୟ ଅମିତାଭ ଗତ ଜୁଲାଇ ୧୧ରେ କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ୨୩ ଦିନ ରହିବା ପରେ ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ଏବଂ ସେ ଘରକୁ ଫେରିଛନ୍ତି ବୋଲି ପୁଅ ଅଭିଷେକ ଟ୍ବିଟ୍‌ କରି ଜଣାଇଛନ୍ତି। ଏବେ ଅମିତାଭ ନିଜ ଘର ‘ଜଲ୍‌ସା’ରେ ସଂଗରୋଧରେ ରହିବେ। ଆଜି ନିଜେ ଅମିତାଭ ଏକ ଟ୍ବିଟ୍‌ କରି କହିଛନ୍ତି, ‘ମୁଁ ଏବେ କୋଭିଡ-୧୯ ନେଗେଟିଭ। ହସ୍ପିଟାଲ୍‌ରୁ ମୁକ୍ତ ହୋଇ ସାରିଛି ଏବଂ ଘରେ ଏକାକୀ ସଂଗରୋଧରେ ରହିବି। ମୋ’ ପାଇଁ ଯେଉଁମାନେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ମୋର ସମସ୍ତ ବନ୍ଧୁ, ପ୍ରିୟଜନଙ୍କ ନିକଟରେ ମୁଁ କୃତଜ୍ଞ।’

ଉଲ୍ଲେଖଯୋଗ୍ୟ ଯେ ଅମିତାଭ, ଅଭିଷେକଙ୍କ ସମେତ ବୋହୂ ଐଶ୍ବର୍ଯ୍ୟା, ନାତୁଣୀ ଆରାଧ୍ୟା ମଧ୍ୟ କରୋନା ସଂକ୍ରମିତ ହୋଇ ନାନାବତି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଐଶ୍ବର୍ଯ୍ୟା, ଆରାଧ୍ୟା ଗତ ଜୁଲାଇ ୨୭ରେ ହସ୍ପିଟାଲ୍‌ରୁ ଘରକୁ ଫେରିଥିଲେ। ମାତ୍ର ଅଭିଷେକ ଏବେ ବି କରୋନା ମୁକ୍ତ ହୋଇ ନ ଥିବାରୁ ନାନାବତି ହସ୍ପିଟାଲରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର