ମହାନାୟକ ଅମିତାଭ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ଶତାବ୍ଦୀର ମହାନାୟକ  ଅମିତାଭ ବଚ୍ଚନଙ୍କୁ ଦିଆଯିବ ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର | କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି | କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ବଲିଉଡର କିମ୍ବଦନ୍ତୀ ପୁରୁଷ ଅମିତାଭ ବଚ୍ଚନଙ୍କୁ ସର୍ବସମ୍ମତିକ୍ରମେ ଦାଦା ସାହେବ ଫାଲ‌କେ ପୁରସ୍କାର ଦିଆଯିବା ବିଷୟ ଟୁଇଟ୍ କରି ଜଣାଇଛନ୍ତି | ଭାରତୀୟ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ପୁରସ୍କାର ଭାବେ ସ୍ବୀକୃତ ଏହି ପୁରସ୍କାରକୁ  ଅମିତାଭଙ୍କୁ ଜୀବନବ୍ୟାପି ଅବଦାନ ପାଇଁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ନିଜ ଟୁଇଟରେ ଲେଖିଛନ୍ତି, ଅମିତାଭଙ୍କୁ ଏହି ପୁରସ୍କାର ଦିଆଯିବା ଖବର ନେଇ ସମଗ୍ର ଦେଶ ଓ ଅନ୍ତର୍ଜାତୀୟ ସମୁଦାୟ ଖୁବ୍ ଖୁସୀ। ଏହି ଅବସରରେ ତାଙ୍କୁ ମୋର ଶୁଭେଚ୍ଛା। ଏହି ଟୁଇଟକୁ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତାଭ ବଚ୍ଚନଙ୍କୁ ଟ୍ୟାଗ କରିଛନ୍ତି। ଏଠାରେ ସୂଚନା ଥାଉ କି ଏହି ପୁରସ୍କାର ୧୯୬୯ ମସିହାରୁ ଦିଆଯାଇଆସୁଛି |

ଭାରତୀୟ ସିନେମା ପ୍ରତି ଦାଦା ସାହେବ ଫାଲକେଙ୍କ ସ୍ମୃତିକୁ ମନେପକାଇ ଏହି ପୁରସ୍କାର ଦିଆଯାଇଆସୁଛି | ଫାଲକେ ଫାଦର ଅଫ ଇଣ୍ଡିଆନ ସିନେମା ଭାବେ ପରିଚିତ ହୋଇଥିବାବେଳେ ୧୯୧୩ ମସିହାରେ ଭାରତର ପ୍ରଥମ ଫିଚର ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ ର ସେ ନିର୍ଦ୍ଦେଶନା ଦେଇଥିଲେ | ପୂର୍ବରୁ ରାଜ କପୁର, ଲତା ମଙ୍ଗେସକର, ଭୂପେନ ହଜାରିକା, ଦିଲ୍ଲୀପ କୁମାର, ବି.ଆର ଚୋପ୍ରା, ଆଶା ଭୋସଲେ, ୟସ ଚୋପ୍ରା, ଦେବ ଆନନ୍ଦ, ମାନ୍ନା ଦେ, ପ୍ରାନ, ଗୁଲଜାର, ଶଶୀ କପୁର, ମନୋଜ କୁମାର ଓ ବିନୋଦ କୁମାରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା |

ସମ୍ବନ୍ଧିତ ଖବର