କର୍ମଚାରୀଙ୍କ ମୃତ୍ୟୁକୁ ନେଇ ହଲଦୀରାମ କଂପାନିର ମାଲିକ ଓ ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଲା ପୁଲିସ୍

नोएडा में हल्दीराम की फैक्ट्री में अमोनिया गैस रिसी, एक कर्मचारी की मौत
image source-ndtv

ନୋଏଡ଼ା: ଆମୋନିଆ ଗ୍ୟାସ ଲିକ୍ ହେବା ଫଳରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ଗୌତମବୁଦ୍ଧ ଜିଲ୍ଲାରେ ନୋଏଡ଼ା ସହରର ଫେଜ-୩ସ୍ଥିତ ହଲଦୀରାମ କାରଖାନାରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହାପରେ ନୋଏଡ଼ା ପୁଲିସ୍ କର୍ମଚାରୀଙ୍କ ମୃତଦେହ ଜବତ କରିବା ସହ କମ୍ପାନିର ମାଲିକ ଓ ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।
ଘଟଣା ସଂପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚିଥିଲେ । ସେମାନେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା କର୍ମଚାରୀ ଜଣକ ଚେତାଶୂନ୍ୟ ହୋଇସାରିଥିଲେ । ଏହା ପରେ ସଂପୃକ୍ତ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗ୍ୟାସ ଲିକ ଯୋଗୁଁ ନିକଟରେ ଥିବା ଅନ୍ୟ ଏକ କମ୍ପାନିର ୩ ଜଣ କର୍ମଚାରୀ ମଧ୍ୟ ଅସୁସ୍ଥ ହେବା ଫଳରେ ସେମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ସମୟରେ କାରଖାନାରେ ୬ ଜଣ କର୍ମଚାରୀ କାମ କରୁଥିଲେ ବୋଲି କୁହାଯାଉଛି । ଖବର ପାଇ ପୁଲିସ କାରଖାନାରେ ପହଞ୍ଚି ପ୍ରଥମେ ଲିକ୍ ହେଉଥିବା ଗ୍ୟାସକୁ ବନ୍ଦ କରି ପରେ ସେମାନଙ୍କୁ ଉଦ୍ଧାର କରିଥିଲା ।

ସେଣ୍ଟ୍ରାଲ ଜୋନର ଏସିପି (ପ୍ରଥମ) ତନୁ ଉପାଧ୍ୟାୟଙ୍କ ସୂଚନା ଅନୁଯାୟୀ ଏହି ମାମଲାରେ କୋତୱାଲି ଫେଜ-୩ରେ ହଲଦୀରାମ କମ୍ପାନିର ମାଲିକ ଏମ୍ ଏଲ୍ ଅଗ୍ରୱାଲ୍ ଓ ନିର୍ଦେଶକ ବଲବୀର୍ ସିଂହଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର