ଏଲଓସି ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କଲା ସେନା

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର କୁପଓ୍ବାଡ଼ାସ୍ଥିତ ଏକ ସୀମାନ୍ତ ଗ୍ରାମରୁ ଆଜି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି । ଏହା ସହିତ ଆତଙ୍କବାଦୀମାନଙ୍କ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ସେନା ।

ସେନା ସୁତ୍ରରୁ ଜଣାପଡ଼ିଛି ଯେ, ଗୁଇନ୍ଦା ସୁତ୍ରରୁ ଖବର ପାଇଁ ଆଜି ସେନା ଓ ସ୍ଥାନୀୟ ପୁଲିସ ପକ୍ଷରୁ ଏକ ମିଳିତ ତଲାସୀ ଅଭିଯାନ ହୋଇଥିଲା । ଏହି ତଲାସୀ ବେଳେ କୁପଓ୍ବାଡ଼ା ଜିଲ୍ଲାର ଧାନି ଗ୍ରାମରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ୫ଟି ଏକେ-୪୭, ୭ଟି ପିସ୍ତଲ, କେତେଗୁଡ଼ିଏ ମାଗାଜିନ ଓ ଜୀବନ୍ତ ଗୁଳି ।

ଏହି ଗ୍ରାମଟି ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବାରୁ ଏସବୁ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ସୀମା ସେପଟୁ ଆସିଥିବା ଅନୁମାନ କରାଯାଉଛି । ତେବେ ସୁରକ୍ଷାବାହିନୀର ସତର୍କତା ଯୋଗୁଁ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ ହୋଇଥିବା କୁହାଯାଉଛି ।

ଧାନି ଗ୍ରାମଟି ଏଲଓସିର ଅତି ନିକଟରେ ଥିବାରୁ ଏହି ଗ୍ରାମ ଉପରେ ସୁରକ୍ଷା ବାହିନୀ ବରାବର ସତର୍କ ଦୃଷ୍ଟି ରଖିଥାଏ ।

 

ସମ୍ବନ୍ଧିତ ଖବର