ବ୍ୟାଙ୍କ ଖାତା ଅଚଳ ହେବା ପରେ ଭାରତରେ ନିଜର କାର୍ଯ୍ୟକଳାପ ବନ୍ଦକଲା ଆମନେଷ୍ଟି ଇଣ୍ଟରନ୍ୟାସନାଲ 

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମନେଷ୍ଟି ଇଣ୍ଟରନ୍ୟାସନାଲର ବ୍ୟାଙ୍କ ଖାତା ଅଚଳ କରିଦିଆଯିବା ପରେ ଏହି ଅନ୍ତର୍ଜାତୀୟ ସଂଗଠନ ଭାରତରେ ନିଜର ଅଫିସ ବନ୍ଦ କରିବାକୁ ଯୋଜନା କରୁଛି । ସଂସ୍ଥା ପକ୍ଷରୁ ନିଜର ଭାରତୀୟ ଅପରେସନ ବନ୍ଦ କରିବାକୁ ଆଜି ସଂକେତ ଦିଆଯାଇଛି ।

ତେବେ ଆମନେଷ୍ଟି ପକ୍ଷରୁ ଆଜି ଜାରି ଏକ ବିବ୍ରୁତିରେ କୁହାଯାଇଛି ଯେ ଭାରତ ସରକାର ଜାଣିଶୁଣି  ଏହି ସଂଗଠନକୁ ଟାର୍ଗେଟ କରୁଛନ୍ତି ଓ ମିଛ ଅଭିଯୋଗ ଲଗାଇ  ହଇରାଣ କରୁଛନ୍ତି ।  ମାନବ ଅଧିକାର ସଂଗଠନଗୁଡ଼ିକ ବିରୁଦ୍ଧରେ ଭାରତ ସରକାର ନେଇଥିବା ପଦକ୍ଷେପର ଏହା ଏକ ଉଦାହରଣ ।

ଗତ ସେପ୍ଟେମ୍ବର ୧୦ରେ ଭାରତ ସରକାର ସଂଗଠନର ସବୁ ବ୍ୟାଙ୍କ ଖାତାଗୁଡ଼ିକୁ ଅଚଳ କରିଦେଇଥିଲେ । ଏହା ପରେ ବାଧ୍ୟ ହୋଇ ସଂସ୍ଥା ନିଜର କର୍ମଚାରୀଙ୍କୁ ଛଟେଇ କରିବା ସହ ନିଜର ସବୁ କାର୍ଯ୍ୟକଳାପ ଓ ଗବେଷଣା ପ୍ରକଳ୍ପକୁ ବନ୍ଦ କରିଦେଇଛି ।

ଗତ ଦୁଇ ବର୍ଷ ହେଲା ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଯଥା ଇଡି, ଦିଲ୍ଲୀ ପୁଲିସ ବାରମ୍ବାର ହଇରାଣ କରିଆସୁଥିଲେ ବୋଲି ଆମନେଷ୍ଟି ଅଭିଯୋଗ କରିଛି । ଏହା ଫଳରେ ସଂଗଠନ ଭାରତରେ କାର୍ଯ୍ୟକଳାପକୁ ସୀମିତ କରିଦେଇଥିଲା।  ଏବେ ବ୍ୟାଙ୍କ ଖାତା ଅଚଳ ଦ୍ୱାରା ସଂସ୍ଥା ଭାରତରୁ ବିଦାୟ ନେବା ନିଶ୍ଚିତ ହୋଇଯାଇଛି ।

ଦିଲ୍ଲୀ ଦଙ୍ଗାରେ ହୋଇଥିବା ମାନବ ଅଧିକାର ଉଲ୍ଲଙ୍ଘନ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଏପରି ଦଣ୍ଡ ମିଳୁଛି ବୋଲି ଆମନେଷ୍ଟି କହିଛି ।

ସମ୍ବନ୍ଧିତ ଖବର