୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୦

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ପ୍ରଦୂଷିତ ୨୦ଟି ସହର ମଧ୍ୟରେ ଭାରତର ୧୦ଟି ସହର ରହିଛି। ଏସିଆର ଦ୍ରୁତତମ ଅର୍ଥନୀତି ବିବେଚିତ ହେଉଥିବା ଭାରତରେ ପ୍ରଦୂଷିତ ବାୟୁ ପ୍ରବାହ ମାତ୍ରା ବଢ଼ିବାରେ ଲାଗିଛି। ଠୋସ୍‌ ପଦକ୍ଷେପ ନିଆଯାଉନଥିବାରୁ ପ୍ରଦୂଷିତ ସହର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବ୍ଲୁମ୍‌ବର୍ଗରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏଭଳି ଦର୍ଶାଯାଇଛି। ରିପୋର୍ଟ ମୁତାବକ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବା ‌େଯାଗୁ ଅନେକ ଲୋକ ଶ୍ବାସଜନିତ ରୋଗର ଶିକାର ହେବେ। ଫୁସ୍‌ଫୁସ୍‌ କ୍ୟାନ୍‌ସ୍‌ର ହେବାର ଆଶଙ୍କା ଅଧିକ ରହିଛି। ଏଭଳି ରୋଗର ସଦ୍ୟତମ ଶିକାର ହୋଇଥିବା କୁସୁମ ତୋମରଙ୍କ ଉଦାହରଣ ଦେଇ ବ୍ଲୁମ୍‌ବର୍ଗ କହିଛି ‌େଯ ତୋମର ଆଦୌ ସିଗ‌ାରେଟ୍‌ ବ୍ୟବହାର କରୁନଥିଲେ। ତା’ସତ୍ତ୍ବେ ତାଙ୍କୁ ଫୁସ୍‌ଫୁସ୍‌ କର୍କଟ ହୋଇଛି। ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବା ଯୋଗୁ ତାଙ୍କର ଏଭଳି ଅବସ୍ଥା ହୋଇଛି। ରିପୋର୍ଟ ଆହୁରି ଦର୍ଶାଇଛି ଯେ ତୋମରଙ୍କ ଚିକିତ୍ସା ପାଇଁ ତାଙ୍କ ସ୍ବାମୀ ବିବେକ ଜମି ବିକ୍ରି କରୁଛନ୍ତି ଏବଂ ସମସ୍ତ ସଞ୍ଚିତ ଟଙ୍କା ଖର୍ଚ୍ଚ କରିସାରିଲେଣି। ତୋମର କହିଛନ୍ତି, ସରକାର ଦେଶର ଆର୍ଥିକ ବିକାଶ କଥା ଚିନ୍ତା କରୁଛନ୍ତି। କିନ୍ତୁ ଲୋକଙ୍କ ରୋଗ ସମ୍ପର୍କରେ କିଛି ଚିନ୍ତା କରୁନାହାନ୍ତି। ରୋଗ ଯୋଗୁ ଲୋକମାନେ ଆର୍ଥିକ ସଂକଟର ସମ୍ମୁଖୀନ ହେଉଥିବା ବେଳେ ଦେଶର ଆର୍ଥିକ ବିକାଶ କିଭଳି ହେବ ବୋଲି ‌େସ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର