କୋଲକାତା: ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଅତିଭୀଷଣ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଏବେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଛି। ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ଅମ୍ଫାନର ଲ୍ୟାଣ୍ଡଫଲ ପ୍ର୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ପ୍ରଭାବରେ କୋଲକତା ମହାନଗରୀ ସମେତ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ଵଡ଼ା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି।

Advertisment

ଆମର ହସ୍ତଗତ ହୋଇଥିବା ସଦ୍ୟତମ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର କୋଲକାତା ସମେତ ଏହି ସମସ୍ତ ଜିଲ୍ଲାରେ ପବନର ବେଗ ଏବେ ଘଣ୍ଟାପ୍ରତି ୧୫୫ ରୁ ୧୬୫ କିମି ରହିଥିବା ବେଳେ ପବନ ଝଟକାର ବେଗ ୧୮୫ କିମି ରହଛି। ଫଳରେ ବିରାଟ ବିରାଟ ଗଛ ସହ ଇଲେକ୍ଟ୍ରି ଖୁଣ୍ଟି ଓ ରାସ୍ତା କଡ଼ରେ ହୋର୍ଡିଂ ସବୁ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ତେବେ, ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ମୁତୟନ ଥିବା ଏନ୍‌ଡିଆରଏଫ୍‌ର ୩୦ରୁ ଅଧିକ ଟିମ୍‌ କାର୍ଯ୍ୟରେ ନିୟୋଜିତ ହୋଇ ପଡ଼ିବା ସହ ଗଛ ସବୁ କାଟି ରାସ୍ତା ସଫା କରିବା କାମରେ ଲାଗି ପଡ଼ିଛନ୍ତି।

ତେବେ, କୋଲକତା ସମେତ ପଶ୍ଚିମବଙ୍ଗରେ ଅମ୍ଫାନ ପ୍ରଭାବରେ ଆରମ୍ଭ ହୋଇଥିବା ବର୍ଷା ଓ ପବନ ରାତି ୮ଟା ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ।

ଏ ସଂପର୍କରେ ସଦ୍ୟତମ ସୂଚନା ପ୍ରଦାନ କରି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ପାଣିପାଗ ବିଭାଗର ପୂର୍ବାନୁମାନ ବର୍ତ୍ତମାନ ପର୍ଯ୍ୟନ୍ତ ପୂରା ଠିକ୍‌ ରହିଛି। ବର୍ତ୍ତମାନ କୋଲକାତା ଓ ପଶ୍ଚିମବଙ୍ଗର ଜିଲ୍ଲାଗୁଡ଼ିକ ଉପର ଦେଇ ଅମ୍ଫାନର ଆକ୍ଷି ଗତି କରୁଛି। ଏବେ ଘଣ୍ଟାପ୍ରତି ୧୫୫ ରୁ ୧୬୫ କିମ ରହିଥିବା ବେଳେ ପବନ ଝଟକାର ବେଗ ୧୮୫ କିମି ରହଛି। କିନ୍ତୁ, ଆଉ ଟିକିଏ ପରେ ଏହା କମିଯିବ। ତେବେ, ଏହାର ଅର୍ଥ ନୁହେଁ ଯେ ବାତ୍ୟା ଚାଲିଗଲା। କିନ୍ତୁ, ବାତ୍ୟା ଯାଇନାହିଁ ଆଉ କିଛି ସମୟ ପରେ ପୁଣି ବାତ୍ୟାର ପବନ ଆରମ୍ଭ ହେବ। କାରଣ ବାତ୍ୟାର ଅକ୍ଷି ଅତିକ୍ରମ କରିଯିବା ପରେ ତା’ ପଛରେ ରହିଥିବା ବଳୟ ଅତିକ୍ରମ ଆରମ୍ଭ କରିବ। ଏବଂ ବର୍ଷା ଓ ପବନ ଆଉଥରେ ଆରମ୍ଭ ହୋଇଯିବ। ଏବଂ ଆହୁରି ୪ ଘଣ୍ଟା ପର୍ଯ୍ୟନ୍ତ ବଳମତ୍ତର ରହିବା ସହ ପଶ୍ଚିମବଙ୍ଗରେ ଅମ୍ପନ ପ୍ରଳୟ ରଚିବ ବୋଲି ଆଉଥରେ ସତର୍କ କରାଇ ଦେଇଛନ୍ତି ଶ୍ରୀ ମହାପାତ୍ର।