ବଙ୍ଗରେ ଘାତକ ସାଜିଲା ଅମ୍ଫାନ୍‌

କୋଲକାତା: ପଶ୍ଚିମବଙ୍ଗରେ ଅମ୍ଫାନ୍‌ ୧୧ଟି ଜିଲ୍ଲାରେ ବିପୁଳ କ୍ଷତି କରିବା ସହ କୋଲକାତା ମହାନଗରୀରେ ଶହଶହ ବିଶାଳକାୟ ଗଛ ଓ ପୁରୁଣା କୋଠା ଭାଙ୍ଗିଦେଇଛି। ଦୀଘା, ମନ୍ଦାରମଣି, ସୁନ୍ଦରବନ, କ୍ୟାନିଂ, ଶଙ୍କରପୁର ଆଦି ପର୍ଯ୍ୟଟନସ୍ଥଳୀ ଛାରଖାର ହୋଇଯାଇଛି। କୋଲକାତା ସମେତ, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ବର୍ଦ୍ଧମାନ, ହୁଗୁଳି, ନଦିଆ, ମୁର୍ସିଦାବାଦ, ବାଙ୍କୁଡ଼ା, ପୁରୁଲିଆ ଆଦି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ସୁନ୍ଦରବନକୁ ଉଜାଡ଼ି ଦେଲା ଅମ୍ଫାନ। ଶତାଧିକ କଚ୍ଚାଘର ଓ କ୍ୟାବିନ୍‌ ଉଡ଼ାଇ ନେଇଛି। ରାଜା ସୁବୋଧ ମଲ୍ଲିକ ରୋଡ଼‌ରେ ଏକ ବହୁତଳ କୋଠାରେ ଥିବା ବିଶାଳ ହୋର୍ଡିଂ ଭାଙ୍ଗିପଡ଼ିବାରୁ କେତେକ ଘର, ଦୋକାନ ଏବଂ ସେଠାରେ ଥିବା ଗାଡ଼ି ଭଙ୍ଗିଯାଇଛି। ବିଦ୍ୟୁତ୍ ତାରସବୁ ଛିଣ୍ଡି ଯାଇଛି। ଗଛକାଟି ରାସ୍ତା ସଫା ଆରମ୍ଭ ହୋଇଛି। କେତେକ ସ୍ଥାନରେ ପମ୍ପସେଟ୍‌ ସାହାଯ୍ୟରେ ରାସ୍ତାରୁ ପାଣି ନିଷ୍କାସନ କାର୍ଯ୍ୟ ମଧ୍ୟ ଚାଲିଛି। ବାତ୍ୟା ସାଙ୍ଗକୁ ବର୍ଷା ବି ଦାଉ ସାଧିଲା। ଅମ୍ଫାନ ବାଂଲାଦେଶକୁ ମୁହାଁଇବା ପରେ ବର୍ଷାର ପ୍ରକୋପ ଏତେ ଥିଲା ଯେ ବିମାନ ବନ୍ଦର ବୁଡ଼ିଗଲା। ବିମାନବନ୍ଦରରେ ପାଣି ଜମି ରହିଛି। ପାର୍କିଂରେ ଥିବା ବିମାନଗୁଡ଼ିକ ପାଣିରେ ଭାସୁଛନ୍ତି। ପ୍ରତୀକ୍ଷାଳୟଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଆଡ଼େ ବର୍ଷା ପାଣି ପଶିଛି। ଏନ୍‌ଡିଆର୍‌ଏଫ୍‌ର ସ୍ବତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି। ଆଜି ମଧ୍ୟାହ୍ନରୁ ପାଣି ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ବିମାନ ଚଳାଚଳ ବନ୍ଦ ରହିଛି।

ବୁଧବାର ପୂର୍ବାହ୍ନରେ ଅମ୍ଫାନ ମାଡ଼ ହେବା ଆଗରୁ ସୋସିଆଲ ମିଡିଆରେ ଏକ ଟ୍ରାନ୍ସଫର୍ମର ଜଳୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ଏହାକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପ୍ରଥମେ ବିରାଟ ଶବ୍ଦ କରି ଟ୍ରାନ୍ସଫର୍ମରଟି ଫାଟିଥିଲା। ଏହାପରେ ସେଥିରୁ ନିଆଁ ବାହାରିଥିଲା। ପବନରେ ନିଆଁ ଝୁଲଗୁଡ଼ିକ କ୍ଷିପ୍ର ଗତିରେ ଆଖପାଖ ଅଞ୍ଚଳକୁ ବ୍ୟାପିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଭୟରେ ଘରର କବାଟ ଝରକା ବନ୍ଦ କରି ଦେଇଥିଲେ। କେବଳ ପଶ୍ଚିମବଙ୍ଗ ନୁହେଁ ସୋସିଆଲ ମିଡିଆରେ ଯିଏ ଏହି ଦୃଶ୍ୟ ଦେଖିଛନ୍ତି ସମସ୍ତେ ଶିହରିତ ହୋଇଛନ୍ତି। ପାଟୁଳିରେ ଥିବା ଭାରତର ପ୍ରଥମ ଏବଂ ଏକମାତ୍ର ଭାସମାନ ବଜାରକୁ ଅମ୍ଫାନ ଛାର୍‌ଖାର କରି ଦେଇଛି। ଅନେକ ଡଙ୍ଗା ଭାଙ୍ଗି ପଡ଼ିଥିବାବେଳେ କେତେଗୁଡ଼ିଏ ପାଣିରେ ଓଲଟି ପଡ଼ିଛି। ସେଥିରେ ଥିବା ଦ୍ରବ୍ୟସବୁ ପାଣି‌ରେ ବୁଡ଼ିଯାଇଛି। କରୋନା ଯୋଗୁ ବଜାର ବନ୍ଦ ରହିଥିବାରୁ ଦୋକାନୀମାନେ ସେମାନଙ୍କର ସାମଗ୍ରୀ ଉଦ୍ଧାର କରିପାରି ନାହାନ୍ତି। ପବନ, ବର୍ଷା ଥମିବା ପରେ ଆଜି ‌ସେମାନେ ଯାଇ ବଜାରର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଜିନିଷ କିଣିବା ପାଇଁ ଏଠାକୁ ଯେତିକି ଲୋକ ଆସନ୍ତି ତା’ଠାରୁ ଅଧିକ ଲୋକ ଆସନ୍ତି ଭାସମାନ ବଜାରକୁ ଦେଖିବା ପାଇଁ। ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାର୍ଇ ରାଜ୍ୟ ସରକାରଙ୍କ ଏହି ପ୍ରୋଜେକ୍ଟକୁ ଅମ୍ଫାନ ଧ୍ବସ୍ତବିଧ୍ବସ୍ତ କରିଦେଇଛି।

ମହାମାରୀ ଓ ମହାବାତ୍ୟା ଦୁହେଁ ବିପଦ ଆଣିଛନ୍ତି ପ୍ରବାସୀ ଶ୍ରମିକଙ୍କ ପାଇଁ। ପଶ୍ଚିମବଙ୍ଗରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଦୋହରା ମାଡ଼। କରୋନା ସଂକ୍ରମଣ ରୋକିବା ପାଇଁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଶ୍ରମିକମାନଙ୍କ ରୋଜଗାର ଛଡ଼େଇ ନେଇଥିଲା। ଏବେ ମହାବାତ୍ୟା ମୁଣ୍ଡ ଉପରେ ଥିବା ଛାତକୁ ଉଡ଼େଇ ନେଲା। କାମଧନ୍ଦା ଅନ୍ବେଷଣରେ ବିଭିନ୍ନ କଳକାରଖାନାରେ ଚାକିରି କରି ପେଟ ପୋଷିବାକୁ ପଡ଼ୋଶୀ ରାଜ୍ୟରୁ ଏ ରାଜ୍ୟକୁ ଧାଇଁ ଆସନ୍ତି ଲୋକେ। ପରିବାର ସହ ମୁଣ୍ଡ ଗୁଞ୍ଜିଥାନ୍ତି ଛୋଟମୋଟ ଘରେ। କଳକାରଖାନାରେ କାମ କରି ଯାହା ଦରମା ପାଆନ୍ତି ସେଥିରେ ପରିବାର ଖୁସିରେ ଚଳେ। ହେଲେ ମହାମାରୀ କରୋନା ପାଇଁ ୨ ମାସ ହେଲା ସବୁ କଳକାରଖାନା ବନ୍ଦ। ହାତବାନ୍ଧି ବସିଗଲେ ଶ୍ରମିକମାନେ। ତଥାପି ଯାହା କିଛି ମଳିଲା ସେଥିରେ ଦୁଇଓଳି ଚଳେଇ ନେଉଥିଲେ। ପୁଣି ଚଡ଼କ ପଡ଼ିଲା। ମହାବାତ୍ୟା ଅମ୍ଫାନ ପ୍ରଭାବରେ ସେମାନଙ୍କ ଘର ଭାଙ୍ଗିଗଲା। ଚାକିରି ଯାଇଥିଲା ଏବେ ଘର ଗଲା। ମୁଣ୍ଡ ଗୁଞ୍ଜିବେ କେଉଁଠି? ନିଜ ରାଜ୍ୟକୁ ଫେରିବାର ରାହା ଖୋଜୁଛନ୍ତି ଏମାନେ। ଅନ୍ୟପକ୍ଷରେ ଏ ରାଜ୍ୟରୁ ବାହାରକୁ ଯାଇଥିବା ଶ୍ରମିକମାନେ ମଧ୍ୟ ଅନୁରୂପ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ୨୦୦୯ ମସିହା ବାତ୍ୟା ପରେ ଏ ରାଜ୍ୟରୁ କାମଧନ୍ଦା ଅନ୍ବେ‌ଷଣରେ ଅନେକ ଗରିବ ଲୋକ ବାହାର ରାଜ୍ୟକୁ ଯାଇଥିଲେ। କରୋନା ଯୋଗୁ କିଏ ଚାଲିଚାଲି, କେହି ସାଇକଲ ଅବା ମାଲବୁହା ଟ୍ରକ୍‌ରେ ଆସି ନିଜ ରାଜ୍ୟରେ ପହଞ୍ଚିଲେ ସିନା, ହେଲେ ଅମ୍ଫାନ ସେମାନଙ୍କ ଆଶାକୁ ଧୂଳିସାତ୍‌ କରିଦେଲା। ଏବେ ସେମାନେ କପାଳରେ ହାତ ଦେଇ ବସିଛନ୍ତି।

ସମ୍ବନ୍ଧିତ ଖବର