ମହାବାତ୍ୟାରୁ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ଅମ୍ପାନ୍, ଏହି ଦୁଇଟି ମଧ୍ୟରେ ଫରକ ଜାଣନ୍ତୁ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନ (ମହାବାତ୍ୟା) ଅମ୍ପାନ ସାମାନ୍ୟ ଦୂର୍ବଳ ହୋଇ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ବାତ୍ୟା(ଏକ୍ସଟ୍ରିମଲି ସିଭିୟର) ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ତେବେ ସୁପର ସାଇକ୍ଲୋନ ବା ମହାବାତ୍ୟା ଏବଂ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ବା ଭୀଷଣ ସାମୁଦ୍ରିକ ବାତ୍ୟା ମଧ୍ୟରେ ତଫାତ କ’ଣ ? ଏକ ସୁପର ସାଇକ୍ଲୋନରେ ପବନ ପ୍ରବାହର ବେଗ ଘଣ୍ଟାପ୍ରତି ୨୨୨ କିଲୋମିଟରରୁ ଅଧିକ ରହିଥାଏ । କିନ୍ତୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନରେ ପବନର ବେଗ ଘଣ୍ଟାପ୍ରତି ୧୬୬ରୁ ୨୨୧ କିଲୋମିଟର ବେଗରେ ରହିଥାଏ । ଓଡ଼ିଶାରେ ୧୯୯୯ ମସିହାରେ ସୁପରସାଇକ୍ଲୋନ ହୋଇ ବ୍ୟାପକ ଧନ ଜୀବନ ହାନୀ ହୋଇଥିଲା । ଗତ ବର୍ଷ ମେ ମାସରେ ଓଡ଼ିଶାରେ ହୋଇଥିବା ଫନି ଏକ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଥିଲା ।

ସେହିପରି ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପବନର ବେଗ ଘଣ୍ଟା ପ୍ରତି ୧୧୮ରୁ ୧୬୫ କିମି ମଧ୍ୟରେ ରହିଥାଏ ଓ ଭୀଷଣ ସାମୁଦ୍ରିକ  ଝଡ଼ରେ ପବନର ବେଗ ଘଣ୍ଟା ପ୍ରତି ୮୯ରୁ ୧୧୭ କିମି ମଧ୍ୟରେ ରହିଥାଏ ।

ବଙ୍ଗୋପ ସାଗରରେ ଅମ୍ପାନର  ଗତ ୬ ଘଣ୍ଟାରେ ବେଗ ବୃଦ୍ଧି ପାଇଛି ଓ ଏହା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପୂର୍ବ ଗତି କରୁଛି । ଏହା ଆସନ୍ତାକାଲି ଅପରାହ୍ଣ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ଆଶା କରାଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ସମ୍ବନ୍ଧିତ ଖବର