ଅମରାବତୀ: ଅମରାବତୀର ଔଷଧ ଦୋକାନୀ ଉମେଶ କୋଲହେଙ୍କ ହତ୍ୟାକୁ ନେଇ ପ୍ରତିଦିନ ନୂଆ ନୂଆ ସୂଚନା ସାମ୍ନାକୁ ଆସୁଛି। ଯେଉଁଦିନ ଉମେଶଙ୍କୁ ହତ୍ୟା କରାଯାଇଥିଲା, ତା’ର ପୂର୍ବ ଦିନ ହିଁ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ହତ୍ୟାକାରୀ। କିନ୍ତୁ ସେମାନଙ୍କ ଯୋଜନା ସଫଳ ହୋଇନଥିଲା।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଲହେଙ୍କୁ ହତ୍ୟା କରିବାର ପ୍ରଥମ ପ୍ରୟାସ ଜୁନ୍ ୨୦ରେ ଅର୍ଥାତ୍ ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ହୋଇଥିଲା। ହେଲେ ଜୁନ୍ ୨୦ରେ କୋଲହେ ଧାର୍ଯ୍ୟ ସମୟ ପୂର୍ବରୁ ହିଁ ଦୋକାନ ବନ୍ଦ କରିଦେଇଥିବାରୁ ହତ୍ୟାକରୀମାନେ ନିଜର ଯୋଜନାକୁ ସଫଳ କରିପାରିନଥିଲେ। ଏହା ଫଳରେ ଜୁନ୍ ୨୧ରେ, କୋଲହେ ଦୋକାନରୁ ଫେରୁଥିବା ସମୟରେ ଦୁଇଜଣ ଉମେଶ କୋଲହେଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଥିଲେ।
ପୂର୍ବରୁ ଜଣାପଡ଼ିଥିଲା ଯେ, ଉମେଶଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ୟୁସୁଫ ଖାନ୍ ଉମେଶଙ୍କ ଭଲ ବନ୍ଧୁ ଥିଲେ। ଏମିତି କି ୟୁସୁଫ ଉମେଶଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଗୋଟିଏ ହ୍ବାଟସ୍ ଆପ୍ ଗ୍ରୁପରେ ଅନ୍ୟ ସଦସ୍ୟଙ୍କ ବ୍ୟତୀତ ଉମେଶ କୋଲହେ ଏବଂ ୟୁସୁଫ ଥିଲେ। ନୂପୁର ଶର୍ମାଙ୍କୁ ସମର୍ଥନ କରାଯାଇଥିବା କିଛି ପୋଷ୍ଟକୁ ଉମେଶ ଏହି ଗ୍ରୁପରେ ଫରୱାର୍ଡ କରିଥିଲେ। ଉମେଶ ନିଜେ କିଛି ଲେଖିନଥିବା ସହ ଖାଲି ପୋଷ୍ଟକୁ ଗ୍ରୁପରେ ଫରୱାର୍ଡ କରିଥିବା ଜାଣି ବି ସାଙ୍ଗରୁ ଶତ୍ରୁ ପାଲଟି ଯାଇଥିଲା ୟୁସୁଫ। ଉମେଶ ସେୟାର କରିଥିବା ପୋଷ୍ଟର ସ୍କ୍ରିନସଟ ନେଇ ୟୁସୁଫ ଖାନ ଏହାକୁ ବିଭିନ୍ନ ହ୍ବାଟସଆପ ଗ୍ରୁପରେ ଭାଇରାଲ କରିଥିଲା। ଏହା ପରେ ହିଁ ଉମେଶଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା।