ଧରାପଡ଼ୁନି ଅମୃତପାଲ: ପଞ୍ଜାବରେ ହାଇ ଆଲର୍ଟ

ସହଯୋଗୀଙ୍କ ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଅମୃତପାଲ ବିରୋଧରେ ପୁଣି ୨

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ଅମୃତପାଲ ସିଂହ ଏବେ ବି ପୁଲିସଠାରୁ ଅପହଞ୍ଚ ରହିଛି। ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅମୃତପାଲକୁ ଗିରଫ କରିବାରେ ସଫଳ ହୋଇପାରିନି। ଅମୃତପାଲକୁ ଗିରଫ ପାଇଁ ଏକ ବିଶାଳ ଅପରେସନ୍‌ ଆରମ୍ଭ ହୋଇଛି। ୭ ଜିଲ୍ଲାର ପୁଲିସଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୁଇନ୍ଦା ସଂସ୍ଥା ଆଇବି ଏବଂ ର’ ମଧ୍ୟ ପଞ୍ଜାବ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଅମୃତପାଲକୁ ଶେଷ ଥର ପାଇଁ ଗତକାଲି ସନ୍ଧ୍ୟାରେ ଜଳନ୍ଧରରେ ଦେଖିବାକୁ ମିଳିଥିଲା। ସେ ଏକ ଦ୍ରୁତଗାଗୀ ମୋଟରସାଇକେଲ୍‌ରେ ଖସି ପଳାଇଥିଲା। ପୁଲିସ ଅମୃତପାଲକୁ ପ୍ରାୟ ୧୫-୧୬ କିମି ପର୍ଯ୍ୟନ୍ତ ପିଛା କରିଥିଲେ ମଧ୍ୟ ଧରି ପାରିନଥିଲା। ତେବେ ଗତକାଲି ଅମୃତପାଲର ୭୮ ସହଯୋଗୀଙ୍କୁ ଗିରଫ କରିଛି। ଅମୃତପାଲର ୪ ଜଣ ଘନିଷ୍ଠ ସହଯୋଗୀଙ୍କୁ ଆସାମର ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲ୍‌କୁ ପଠାଇ ଦିଆଯାଇଛି। ଅମୃତପାଲର ବାପାଙ୍କୁ ମଧ୍ୟ ଅଟକ ରଖି ଜେରା କରାଯାଉଛି।

ସହଯୋଗୀଙ୍କ ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଅମୃତପାଲ ବିରୋଧରେ ପୁଣି ୨ ଏତଲା ରୁଜୁ
ପୁଲିସର ଫ୍ଲାଗ୍‌ ମାର୍ଚ‌୍

ଇତି ମଧ୍ୟରେ ଅମୃତପାଲ ଏବଂ ତା’ ସହଯୋଗୀ ବିରୋଧରେ ଆଉ ୨ଟି ଏତଲା ରୁଜୁ ହୋଇଛି। ବେଆଇନ ଅସ୍ତ୍ର ରଖିଥିବା ମାମଲାରେ ଅମୃତପାଲ ବିରୋଧରେ ଏତଲା ରୁଜୁ ହୋଇଛି। ଅମୃତପାଲର ସହଯୋଗୀଙ୍କ ନିକଟରୁ ୭ଟି ବେଆଇନ ଅସ୍ତ୍ର, ୩୦୦ରୁ ଅଧିକ ବୁଲେଟ ଜବତ ହୋଇଛି। ଏକ କାର୍‌ରୁ ଗୋଟିଏ ରାଇଫଲ୍‌, ୫୭ଟି ଲାଇଭ୍‌ କାଟ୍ରିଜ, ଖଣ୍ଡା ଜବତ ହୋଇଛି। ସେମାନଙ୍କ ଦ୍ବାରା ବ୍ୟବହାର ହେଉଥିବା ୩ଟି କାର୍‌ ମଧ୍ୟ ପୁଲିସ ଜବତ କରିଛି। ପଂଜାବରେ ହାଇ ଆଲର୍ଟ ଜାରି ହୋଇଛି। ଭଟିଣ୍ଡାରେ ୧୬ ଖଲିସ୍ତାନ ସମର୍ଥକଙ୍କୁ ଗିରଫ କରାଯାଇଛି। ସେହିପରି ଅମୃତପାଲର ୨୧ ଜଣ ସମର୍ଥକ ଧାରଣା ଦେବାକୁ ବସିଥିବାବେଳେ ସେମାନଙ୍କୁ ପୁଲିସ ଅଟକ ରଖିଛି। ଅମୃତସର, ଗୁରଦାସପୁର ଏବଂ ଲୁଧିଆନାରେ ପୁଲିସ ଫ୍ଲାଗ୍‌ ମାର୍ଚ୍ଚ କରିଛି। ରାଜ୍ୟରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ଅବଧିକୁ ମାର୍ଚ୍ଚ ୨୦ ମଧ୍ୟାହ୍ନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଜଳନ୍ଧର ଗ୍ରାମୀଣ ଏସଏସପି କହିଛନ୍ତି, ଜଳନ୍ଧର ଏବଂ ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ସ୍ବାଭାବିକ ରହିଛି। ଜନସାଧାରଣଙ୍କ ସୁରକ୍ଷା ପ୍ରତି ପୁଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଏସଏସପି କହିଛନ୍ତି।

ହିମାଚଳପ୍ରଦେଶ ଏବଂ ପଞ୍ଜାବ ସୀମା ଉପରେ ବି କଡ଼ା ନଜର ରଖାଯାଇଛି। ସୋସିଆଲ ମିଡିଆରେ ନକଲି ଖବର ଏବଂ ଘୃଣା ଭାଷଣ ପ୍ରସାର ପ୍ରସଙ୍ଗରେ ପୁଲିସ ଚେତାବନୀ ଦେଇଛି। ଇତି ଅମୃତପାଲକୁ ପଳାତକ ଘୋଷଣା କରାଯାଇଛି। ତା’ ମାମଲା ଏନ୍‌ଆଇଏ ହାତକୁ ଯିବ ବୋଲି ଜଣାପଡ଼ିଛି। ଏନ୍‌ଏସ୍‌ଏ ଅଧୀନରେ ଅମୃତପାଲ ବିରୋଧରେ ମାମଲା ରୁଜୁ ହୋଇପାରେ।

ସମ୍ବନ୍ଧିତ ଖବର