ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ତଥା ୱାରିସ ପଞ୍ଜାବ ଦେ ମୁଖ୍ୟ ଅମୃତପାଲ ସିଂହଙ୍କୁ ଧରିବା ପାଇଁ ପୁଲିସ ନାକେଦମ ହେଲାଣି। ୩ ଦିନ ହେଲା ତାକୁ ବାନ୍ଧିବା ଲାଗି ଅପରେସନ ଚଳାଇଥିଲେ ବି ତା’ର ପତ୍ତା ପାଉନାହିଁ। ତେଣୁ ସେ ଯେପରି ଦେଶଛାଡ଼ି ଖସି ନଯାଏ ସେଥିପାଇଁ ସୀମାରେ ଏବଂ ବିମାନ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ସଶସ୍ତ୍ର ସୀମା ବଳର ମହାନିର୍ଦ୍ଦେଶକଙ୍କୁ ସୀମାରେ ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ହାଇଆଲର୍ଟରେ ରଖାଯାଇଛି। ପଞ୍ଜାବ ପୁଲିସ ପକ୍ଷରୁ ଅମୃତପାଲକୁ ପଳାତକ ଘୋଷଣା କରାଯାଇଛି। ସେ ଭାରତ-ନେପାଳ ସୀମା କିମ୍ବା ପଞ୍ଜାବର ଅନ୍ତର୍ଜାତୀୟ ସୀମା ଦେଇ ଖସିଯିବାର ସମ୍ଭାବନା ଅଧିକ ରହିଛି ବୋଲି ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୧୪ ଜଣଙ୍କୁ ଗିରଫ କରାଯାଇଛି।
ତେବେ ତାହାର ୬ ଜଣ ଘନିଷ୍ଠ ସହଯୋଗୀକୁ ପଞ୍ଜାବ ପୁଲିସ ଗତକାଲି ସ୍ବତନ୍ତ୍ର ବିମାନ ଯୋଗେ ଆସାମର ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲ୍କୁ ପଠାଇ ଦେଇଛି। ସେମାନଙ୍କ ନାମରେ ଏନ୍ଏସ୍ଏ ଲଗାଯାଇଛି। ଗିରଫଙ୍କ ମଧ୍ୟରେ ଅମୃତପାଲର ଦାଦା ହରଜିତ ସିଂହ ରହିଛି। ଅମୃତପାଲ ଓ ତାର ସହଯୋଗୀଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ୬ଟି ଏଫଆଇଆର ରୁଜୁ ହୋଇଛି। ଏଥିସହିତ ଅମୃତପାଲ ବ୍ୟବହାର କରୁଥିବା ଏକ ଗାଡ଼ିରୁ ମଧ୍ୟ ପୁଲିସ ଗୋଟିଏ ୱାକି ଟକି ଜବତ କରିଛି। କାର୍ଯ୍ୟକଳାପ ଚଳାଇବା ପାଇଁ ଅଭିଯୁକ୍ତମାନେ ହାଓଲା ଚାନେଲରେ ପାଣ୍ଠି ସଂଗ୍ରହ କରୁଥିଲେ ବୋଲି ଗିଲ୍ କହିଛନ୍ତି। ଅମୃତପାଲଙ୍କୁ ବିଦେଶରୁ ପାଣ୍ଠି ମିଳୁଥିଲା। ଏଥିସହିତ ତାହାର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ସଂପର୍କ ଥିବା ନେଇ ପୁଲିସ ସନ୍ଦେହ କରୁଛି।