ଅମୃତସର: ପଳାତକ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ତଥା ‘ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଏଯାଏଁ ଧରାପଡ଼ିନାହିଁ। ୫ ଦିନ ବିତିଯାଇଥିଲେ ବି ପୁଲିସ ଅମୃତପାଲର ଟେର ପାଉନି। ପଞ୍ଜାବ ପୁଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ଅମୃତପାଲ ସିଂହକୁ ଧରିବା ପାଇଁ ଯଥା ସମ୍ଭବ ଉଦ୍ୟମ ଚଲାଇଛନ୍ତି।
ଏହି କ୍ରମରେ ଜଣାପଡ଼ିଛି କି ୱାରିସ ପଂଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ମାର୍ଚ୍ଚ ୧୯ ତାରିଖରେ କରୁକ୍ଷେତ୍ରର ଶାହବାଦରେ ପହଞ୍ଚିଥିଲା। ସେଠାରେ ସେ ଜଣେ ମହିଳାଙ୍କ ସହିତ ରହିଥିଲା। ହରିୟାଣା ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ମହିଳାଙ୍କ ସମେତ ଅନେକ ଲୋକଙ୍କୁ ଧରି ପଞ୍ଜାବ ପୁଲିସର ହସ୍ତାନ୍ତର କରିଛି।
ପ୍ରକାଶିତ ରିପୋର୍ଟ ଅନୁସାରେ, ପଳାତକ ଅମୃତପାଲ ପଞ୍ଜାବ, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁକଶ୍ମୀରରେ କୌଣସି ସ୍ଥାନରେ ଲୁଚି ଥାଇପାରେ ବୋଲି କୁହାଯାଉଛି। ଏହି ସମସ୍ତ ରାଜ୍ୟର ପୁଲିସଠାରୁ ସାହାଯ୍ୟ ନିଆଯାଉଛି। ଅମୃତପାଲ ଯେମିତି ବିଦେଶ ନଯାଇପାରେ ସେଥିପାଇଁ ପାକିସ୍ତାନ ଓ ନେପାଳ ସୀମାରେ ବିଏସଏଫ୍ ଓ ଏସଏସବିଙ୍କୁ ଆଲର୍ଟ କରି ଦିଆଯାଇଛି। ଅମୃତପାଲ ଉତ୍ତରାଖଣ୍ଡ ରାସ୍ତା ଦେଇ ବାହାରକୁ ପଳାଇ ଯାଇପାରେ ବୋଲି କୁହାଯାଉଥିବା ବେଳେ ଏଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
ଅନ୍ୟପକ୍ଷରେ ଅମୃତପାଲଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାରେ ଆଜି ତାର ପତ୍ନୀ କିରଣଦୀପ କୌର ଓ ମା’ ବଲୱିନ୍ଦର କୌରଙ୍କୁ ପୁଲିସ ଜେରା କରିଥିଲା।
ସୌଜନ୍ୟ: ଆଜତକ